କଳାହାଣ୍ଡି:୧୩/୦୪
ସାମ୍ବାଦିକଙ୍କ ସ୍ବାର୍ଥ ପାଇଁ ଓଡ଼ିଶା ସାମ୍ୱାଦିକ ୟୁନିଅନ ସଂଗ୍ରାମ ଜାରି ରଖିବ -ପ୍ରସନ୍ନ ମହାନ୍ତି ସଭାପତି, ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)
ସାମ୍ୱାଦିକ ସମାଜକୁ ବଞ୍ଚାଇ ରଖିଛି, ସାମ୍ୱାଦିକ ମାନଙ୍କ ଅଧିକାର ପାଇଁ କଂଗ୍ରେସ ଲଢିବ – ଭକ୍ତ ଚରଣ ଦାସ
ରାଜ୍ୟରେ ଯୋଉ ସରକାର ରୁହନ୍ତୁ ନାଁ କାହିକିଁ ସାମ୍ୱାଦିକ ମାନଙ୍କ ସ୍ବାର୍ଥ ପାଇଁ, ହକ୍ ପାଇଁ ସାମ୍ୱାଦିକ ୟୁନିଅନ ତା’ର ସଂଗ୍ରାମ ଜାରି ରଖିବ ବୋଲି ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ଯ କାର୍ଯ୍ୟକାରିଣୀ ବୈଠକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ୱାଦିକ ମାନଙ୍କ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ପେନସନ ଲାଗୁ, ଏକ୍ରିଡିଏସନ୍ କମିଟି ତିଆରି ପାଇଁ ସରକାରଙ୍କ ନିକଟରେ ଦାବୀ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଦାବୀ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ସମାଜ ପ୍ରତିନିଧି ବିନ୍ଦୁ ମହାନନ୍ଦ, ରାଜ୍ଯ ଉପସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି ରାଜୀବ ମହାନ୍ତି, କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ୟୁନିଅନର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଅତିଥି ମାନଙ୍କୁ ସଂଘ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ଯ ସମ୍ପାଦକ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସିଂଦେଓ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ କଳାହାଣ୍ଡି ଜିଲ୍ଲାର ସଂସ୍କୃତିକୁ ଓ ସାମ୍ବାଦିକଙ୍କ ସ୍ୱାଭିମାନ ବହନ କରୁଥିବା ବାର୍ଷିକ ପତ୍ରିକା ‘କାରୁଣ୍ଡ’କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ହେମନ୍ତ ସାହୁ।
୫୩ ବର୍ଷର ସାମ୍ୱାଦିକ ୟୁନିଅନ୍ ପ୍ରତି ସବୁବେଳେ ରାଜ୍ଯ ସରକାର ଅବହେଳା କରି ଆସିଛନ୍ତି। ବିହାର ଭଳି ରାଜ୍ୟରେ ସାମ୍ୱାଦିକ ମାନଙ୍କ ସମସ୍ତ ଅଧିକାର ପୂରଣ କରାଯାଇଛି। ପେନସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡିଏସନ୍ ପାଇଁ ଆମେ ଦୀର୍ଘ ଦିନ ଧରି ସ୍ୱର ଉତ୍ତୋଳନ କରି ଆସୁଛୁ। ଆମର ସହିବାର ସୀମା ଟପି ଗଲାଣି। ଏଣୁ ଆଗକୁ ଆମର ହକ ପାଇଁ ଆନ୍ଦୋଳନ କରିବୁ। ପ୍ରତି ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ତାଙ୍କ ଅଗ୍ନିବର୍ଷି ଭାଷଣରେ କହିଥିଲେ।
ମୁଖ୍ୟ ବକ୍ତା ଶ୍ରୀ ଯୋଶୀ ପ୍ରକୃତ ସାମ୍ବାଦିକତା ବିଷୟରେ କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ଦାସ ସାମ୍ବାଦିକ ସମାଜକୁ ବଞ୍ଚାଇ ରଖିଛି ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ନାରୀ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଇତ୍ୟବସରରେ ସାମ୍ବାଦିକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ସକାଳର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସ୍ଵାଧୀନ ପାତ୍ର, ଓଟିଭି ପ୍ରତିନିଧି ଇଙ୍ଗିତ ପଣ୍ଡା, ବିକାଶ ଷଢ଼ଙ୍ଗୀ, କନକ ଟିଭି ଜୟପାଟଣା ପ୍ରତିନିଧି ସମୀକ୍ଷା ପ୍ରହରାଜ, ରୁପ୍ରାରୋଡ ପ୍ରମେୟ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପରେଶ ନାଏକ, ମନମୋହନ ପଧାନ, କିଶୋର ନାଏକ, ଆଶୁତୋଷ ରାଉତ, ପ୍ରମେୟ କୋକସରା ପ୍ରତିନିଧି ସନତ କୁମାର ପ୍ରଧାନୀ, ଖଗେଶ୍ବର ଧଙ୍ଗଡାମାଝୀ, ଶୁଭମ ରୋହିଲା, ଭଦ୍ରାଞ୍ଚଳ ନାଏକ ପ୍ରମୁଖସ ାମ୍ବାଦିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଯାଜପୁର ଜିଲ୍ଲା ସାମ୍ୱାଦିକ ଅଭୟ ପତି, ରାଜ୍ୟ ବାର୍ କାଉନସିଲର ସଦସ୍ୟ ଭାବରେ ମନୋନୀତ ହୋଇଥିବାରୁ ରାଜୀବ ମହାନ୍ତି, ବିକ୍ରମାଦିତ୍ୟ ସିଂ ଦେଓଙ୍କୁ ସ୍ଵତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା। ସଂଘରେ ନୂତନ ଭାବରେ ଯୋଗଦାନ କରିଥିବା ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।ଭୋଜନ ବିରତି ପରେ ପୁଣି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
