କାହା ଇଙ୍ଗିତରେ ଚାଲୁଛନ୍ତି ବିଜେଡି ସାଂସଦ ସୁଲତା ଦେଓ ? ନବୀନ ନା ଆଉ କିଏ…


ଓଡ଼ିଶା ଡଟ୍ ନ୍ୟୁଜ୍: ବିଜେଡି ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି । ଲାଗିଥିବା ନିଆଁ ଲିଭିବାର ନାଁ ନେଉନି । ଯେତେବେଳେ ଲାଗୁଛି, ସବୁ ଠିକ୍ ହୋଇଯିବ ନିଆଁ ଲିଭି ଯିବ, ଠିକ ସେତିକି ବେଳେ ପୁଣି କିଏ ପେଟ୍ରୋଲ୍ ପକାଇ ଦେଉଛି । ଏଇ ଯେମିତି ଓ୍ବାକଫ ବିଲକୁ ନେଇ ଉଡ଼ିଥିବା ଝଡ଼ ଲିଭାଇବାକୁ ନବୀନ ଚେଷ୍ଟା କରିଥିଲେ । ହେଲେ ପ୍ରଭାତ ତ୍ରିପାଠୀଙ୍କୁ ନେଇ ପ୍ରତିକ୍ରିୟା ଦେଇ ଥିଲେ ବି ବିଲକୁ ସମର୍ଥନ କାହିଁକି କରାଗଲା ? କିଏ ନିର୍ଦ୍ଦେଶ ଦେଇଥିଲେ ସେ ନେଇ ମୁହଁ ଖୋଲିଲେନି । ଏମିତି ସ୍ଥିତିରେ ନବୀନ ଭି.କେ. ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟ ପ୍ରସଙ୍ଗରୁ ନଜର ହଟାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଲା । କେବଳ ସେମିତିରେ ନବୀନ ଅଟକି ନଥିଲେ, ନେତାମାନେ ବିନା ଅନୁମତିରେ ସଭା କରିପାରିବେନି ବୋଲି କହିଦେଲେ । ଏହାପରେ ଦଳର ବରିଷ୍ଠ ନେତା ପ୍ରଥମ ଥର ନବୀନଙ୍କ ନିଷ୍ପତ୍ତିକୁ ଖୋଲା ବିରୋଧ କଲେ । ଆଉ ଏହାରି ଭିତରେ ଏବେ ବିଜେଡି ସାଂସଦ ସୁଲତା ଦେଓଙ୍କ ପୋଷ୍ଟ ପୁଣି ବିବାଦ ଛିଡ଼ା କରି ଦେଇଛି । ଏପରିକି ସେ ପାଣ୍ଡିଆନଙ୍କୁ ଆଗ କରି ନବୀନଙ୍କୁ ପଛ କରି ଦେଇଥିବା ଅଭିଯୋଗ ହେଉଛି ।

କଥ ହେଲା, ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସୁଲତା ସସ୍ମିତଙ୍କ ସମର୍ଥନରେ ବାହାରିଛନ୍ତି । ଦଳ କନ୍ଦଳ କଥା ବଖାଣିଛନ୍ତି । ମୁନା ଖାଁଙ୍କ ସହ ଦେବାଶିଷଙ୍କୁ ଟାର୍ଗେଟ୍‌ କରି ସସ୍ମିତଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି । ୱାକଫ୍‌ ବିଲ୍‌ କଥା ଉଠାଇ ସଭାପତି ନବୀନଙ୍କୁ ପଛ କରି, ପାଣ୍ଡିଆନଙ୍କୁ ଆଗ କରିଦେଇଛନ୍ତି ।

କାଳବୈଶାଖୀ ରୂପରେ ଆସିଥିବା ୱାକଫ୍‌ ବିଲ ବିଜେଡିର ଅସ୍ତିତ୍ବକୁ ଉଡ଼ାଇ ଦେବାକୁ ବସିଛି । ନେତା ପାଣ୍ଡିଆନ୍‌ ହଟାଅ ବିଜେଡି ବଞ୍ଚାଅ ନାରା ଦେଉଛନ୍ତି । ଏହି ସମୟରେ ସୁଲତା ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ସସ୍ମିତଙ୍କ ସମର୍ଥନରେ ବାହାରିଛନ୍ତି । ଏମିତିକି ଓଡ଼ିଶାର ଗଣମାଧ୍ୟମ ଉପରେ ମଧ୍ୟ ଦୋଷ ଲଦିବାକୁ ପଛାଇ ନାହାନ୍ତି ।

ଏପଟେ ବିଜେଡିର ସାଂସଦ ହିସାବରେ ୱାକଫ୍‌ ବିଲ୍‌ର ବିରୋଧରେ ସଂସଦ ଭିତରେ ଗର୍ଜିଥିଲେ ମୁନା ଖାନ୍‌ । ବିଲକୁ ନେଇ ବିଜେଡି ବିବାଦକୁ ୮ ଦିନ ବିତି ଯାଇଥିଲେ ବି ଚୁପ ଥିଲେ ସୁଲତା । ଏବେ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ଦଳ ଭିତରେ ତାଙ୍କର ସ୍ଥିତିକୁ ଜାହିର କରିବାକୁ ଚେଷ୍ଟା କରୁଥିବା ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, ୮ ଦିନ ହେଲା କାହିଁକି ଚୁପ୍‌ ଥିଲେ ସାଂସଦ ? କିଏ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଇଥିଲା ? ଏହା ପଛରେ କିଛି ବଡ଼ ଷଡ଼ଯନ୍ତ୍ର ରହିଛି କି ? ହଠାତ୍‌ ୮ ଦିନ ପରେ ଏମିତି ପୋଷ୍ଟ କରି କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ସୁଲତା ?

ସଂସଦରେ ମୁନାଙ୍କ ଗରମାଗରମ ବୟାନର ମାତ୍ର କେଇଟା ଘଣ୍ଟା ପରେ ସସ୍ମିତ୍‌ ଟ୍ୱିଟ୍‌ କରି ପାଣି ଢ଼ାଳି ଦେଇଥିଲେ । ଆଉ ତା’ ପରେ ଜଣକ ପରେ ଜଣେ ବିଜେଡି ନେତାଙ୍କ ଆସିଥିଲା ପ୍ରତିବାଦର ସ୍ୱର । ସେତେବେଳେ ସାଂସଦମାନେ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖୁ ନଥିବା ବେଳେ ଏବେ କିନ୍ତୁ ଧୀରେ ଧୀରେ କଥା ସାମ୍‌ନାକୁ ଆସୁଛି । ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ନବୀନଙ୍କ କହିବା କଥାକୁ ସ୍ପଷ୍ଟ କରିଛନ୍ତି ସୁଲତା । ହେଲେ ଏହି କଥାକୁ ନା ନବୀନ ଗଣମାଧ୍ୟମ ଆଗରେ କହିଛନ୍ତି, ନା ସସ୍ମିତ ସ୍ପଷ୍ଟ କରିଛନ୍ତି । ତେବେ ସୁଲତାଙ୍କ ପୋଷ୍ଟକୁ ନେଇ ତାଙ୍କର କି ବିଜେଡି ଓ ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳିପାରିନି ।