ଓଡ଼ିଶା ଡଟ୍ ନ୍ୟୁଜ୍: ଓ୍ବକଫ ବିଲକୁ ନେଇ ବିଜେଡିରେ ଉଠିଥିବା ଝଡ଼ ଯେମିତି ଥମିବାର ନାଁ ନେଉନି । ସ୍ଥିତି ଟିକିଏ ଶାନ୍ତ ପଡୁଥିବା ମନେ ହେଉଥିବା ବେଳେ କିଏ ନା କିଏ ସୁଖିଲା ଘା’ରେ ନଖ ମାରି ପୁଣି ତାଜା କରି ଦେଉଛନ୍ତି । ଏଇ ଯେମିତି ଦଳ ସଭାପତି ସୋସିଆଲ ମିଡ଼ିଆରେ ନେତା କିଛି କହିପାରିବେନି ବୋଲି କହିଥିଲେ ବି ବିଜେଡିର ସୋସିଆଲ ମିଡ଼ଆ ନେତ୍ରୀ ସୁଲତା ଦେଓ ପୋଷ୍ଟ କରି ଘା’ ଉଖାଡିବା କାମ କରିଛନ୍ତି ।
ସୂଚନାଯୋଗ୍ୟ, ଓ୍ବାକଫ ବିଲକୁ ନେଇ ବିଜେଡି ସାଂସଦ ସୁଲତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ସୁଲତାଙ୍କୁ ଟାର୍ଗେଟ୍ କରିଛନ୍ତି ଦେବାଶିଷ । ସେ କହିଛନ୍ତି, ଦଳକୁ ସୁଲତା କେବେ ଆସିଛନ୍ତି ଏକଥା ସମସ୍ତେ ଜାଣନ୍ତି । ଜଣେ ଜୁନିୟର ସଭ୍ୟ ହୋଇ ପୁଣି ମୁଖିଆ ମନା କଲା ପରେ ବି ସେ ଟ୍ବିଟ୍ କରି ବିବାଦ ବଢ଼ାଉଛନ୍ତି । ଏକଥା ଆଗକୁ ନବୀନ ବିଚାର କରିବେ ।
ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସୁଲତା ଦେଓ । ସସ୍ମିତ ପାତ୍ରଙ୍କୁ ସମର୍ଥନ କରିବା ସହ ମୁନା ଖାଁଙ୍କୁ ଟାର୍ଗେଟ୍ କରିଥିଲେ । ସୁଲତା ଦେଓ ଲେଖିଥିଲେ, ବିବେକାନୁମୋଦିତ ଭୋଟ୍ ଦେବା ପାଇଁ ଗତ ୭ ତାରିଖରେ ନବୀନ ପଟ୍ଟନାୟକ ସିଧା ଶବ୍ଦରେ କହିଥିଲେ । ମୁନା ଖାଁ ଓ ତାଙ୍କ ସହ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ସମର୍ଥକଙ୍କୁ ମଧ୍ୟ ନବୀନ ଏକଥା ସିଧା କହିଥିଲେ । ସୁଲତାଙ୍କ ଏପରି ପୋଷ୍ଟ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ ।