ନବୀନଙ୍କୁ ରାଜାଙ୍କ ଚିଠି: ଦଳ ହାଇଜ୍ୟାକ୍ ହେବା ପୂର୍ବରୁ ବଞ୍ଚାଅ


ଓଡ଼ିଶା ଡଟ୍ ନ୍ୟୁଜ: ଓ୍ବାକଫ ବିଲକୁ ବିଜେଡିର ସମର୍ଥନ ପରେ ଦଳ ଭିତରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିବାରେ ଲାଗିଛି । ଏହି ଗୋଟିଏ ପ୍ରସଙ୍ଗ ଦଳ ଭିତରେ ଥିବା ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି । ଏହାସହ ନେତୃତ୍ବ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥିତି ଏମିତିଯେ, ଦଳ ଭିତରେ ନବୀନ କେବଳ ଏକ ଭୋଟବ୍ୟାଙ୍କ ହୋଇ ରହିଛନ୍ତି, ହେଲେ ତାଙ୍କର ବର୍ଚସ୍ବ ନାହିଁ । ଦଳକୁ କ୍ଷମତାରୁ ହଟାଇ ବିରୋଧୀ ଆସନରେ ବସାଇଥିବା ବ୍ୟକ୍ତି ଭି.କେ. ପାଣ୍ଡିଆନ ଆଜି ବି ଏହାର ଲଗାମ ଧରିଛନ୍ତି ଓ ନବୀନଙ୍କୁ କଣ୍ଢେଇ ପରି ନଚାଉଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଥିବା ତାହା ସତ ପ୍ରମାଣିତ ହେବାରେ ଲାଗିଛି । ଦଳ ଟଳମଳ ସ୍ଥିତିରେ ଥିବା ବେଳେ ଚାଲିଛି ସାଙ୍ଗଠନିକ ନିର୍ବାଚନ । ନବୀନ ଯେଉଁଠି ଜଣେ ବାହ୍ୟଶକ୍ତି ହାତରେ କଣ୍ଢେଇ ଭଳି ନାଚୁଛନ୍ତି, ସେଠି ନ୍ୟାୟ ପାଇବେ ବୋଲି ନେତାମାନେ ମଧ୍ୟ ସ୍ବୀକାର କରୁନାହାନ୍ତି । କାରଣ, ସେହି ବାହ୍ୟଶକ୍ତି ନିଜ ଅନୁଗତଙ୍କୁ ସଂଗଠନରେ ସାମିଲ କରି ଦଳକୁ ହାଇଜ୍ୟାକ କରିବାକୁ ବସିଛନ୍ତି । ଏ କଥା ଆମେ କହୁନାହୁଁ । ଦଳର ହେବିଓ୍ବାଟ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ବା ରାଜା ସ୍ବାଇଁ କହୁଛନ୍ତି । ସାଙ୍ଗଠନିକ ନିର୍ବାଚନକୁ ନେଇ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ହାଇଜ୍ୟାକ ଶବ୍ଦର ବ୍ୟବହାର କରିଛନ୍ତି । ଏହା ପ୍ରମାଣିତ କରୁଛି, ସାଙ୍ଗଠନିକ ନିର୍ବାଚନ ନାଁରେ ଦଳକୁ ସେହି ବାହ୍ୟଶକ୍ତି ନିଜ ଅକ୍ତିଆରକୁ ନେବାକୁ ବସିଛି ।

ରାଜା ନବୀନଙ୍କୁ ଲେଖିଥିବା ଚିଠିରେ ସଂଗଠନରେ ସଂରକ୍ଷଣ କରିବାକୁ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ଲେଖିଛନ୍ତି, ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ । ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱକପ୍ ବିଲ୍‌ ବିବାଦ ଆମର ଧର୍ମ ନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ ।

ରାଜାଙ୍କ ଏହି ଚିଠି ପାଓ୍ବର କରିଡରରେ ପୁଣି ଥରେ ବିଜେଡିର ଭିତିରି ମହଲରେ କ’ଣ ଚାଲିଛି ପଦାରେ ପକାଇ ଦେଇଛି । ଏବେ ଦେଖିବାକୁ ବାକି ରହିଲା ନବୀନ ଏହି ହାଇଜ୍ୟାକକାରୀଙ୍କ କବଳରୁ ବିଜେଡିକୁ ଉଦ୍ଧାର କରୁଛନ୍ତି ନାଁ ଦଳକୁ ତାଙ୍କ ହାତକୁ ଟେକି ଦେଇ କେବଳ ଭୋଟବ୍ୟାଙ୍କ ସାଜି ରହିଯାଉଛନ୍ତି ।