ଓଡ଼ିଶା ଡଟ୍ ନ୍ୟୁଜ୍: ଓଡ଼ିଶା ସାମୁଦ୍ରିକ ଉପକୂରେ ଆଜିଠାରୁ ମାଛଧରା ଉପରେ ଲାଗିଲା କଟକଣା । ଆଜି ୧୫ ତାରିଖରୁ ଆରମ୍ଭ ହୋଇ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଏଭଳି କଟକଣା ଜାରି ହୋଇଥାଏ ।
କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ କଟକଣାରୁ ବାଦ ଦିଆଯାଇଛି । ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଇନ ଅମାନ୍ୟ କଲେ ମତ୍ସ୍ୟଜୀବୀଙ୍କୁ ଜେଲ୍ ଓ ଜରିମାନା ଭୋଗିବାକୁ ପଡିପାରେ । ମାଛଧରା ବନ୍ଦ ଦ୍ୱାରା କେବଳ ପାରାଦୀପରେ ପ୍ରାୟ ୭ ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ । ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି ।
ମାଛଧରା ବନ୍ଦରରେ ଟ୍ରଲରଗୁଡିକୁ ବାନ୍ଧି, ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଜୀବୀମାନେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏହି ୬୧ ଦିନିଆ ଅଙ୍କୁଶ ଆଜିଠାରୁ ଲାଗୁ ହେଉଥିବା ଜଣାପଡ଼ିଛି ।