Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରିଥାଏ।

ଏପ୍ରିଲ ୧୩, ୨୦୨୫ ସୁଦ୍ଧା ଓଡିଶାରେ ଚିହ୍ନଟ କରାଯାଇଥିବା ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷ ରୁ ଉର୍ଦ୍ଧ୍ଵ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି। ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି। ଏହି ପ୍ରୟାସକୁ ଓଡିଶାରେ ମିଶନ ଶକ୍ତି ବିଭାଗ ଅଧୀନରେ ଓଡିଶା ଜୀବିକା ମିଶନ (ଓଏଲଏମ) ଦ୍ୱାରା କାର୍ଯ୍ୟକାରୀ କରାଯାଇଛି, ଏବଂ କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ)ର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି।

ଏହି ପରିବର୍ତ୍ତନର ଆରମ୍ଭ ତୃଣମୂଳ ସ୍ତରରୁ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି) ଙ୍କୁ ଘର-ଘର ବୁଲି ଚିହ୍ନଟ ଅଭିଯାନ ମାଧ୍ୟମରେ ଆରମ୍ଭ ହୋଇଥିଲା । କମ୍ୟୁନିଟି ସପୋର୍ଟ ସ୍ଟାଫ୍ (CSS), ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନେତ୍ରୀବୃନ୍ଦ ତଥା ଓଏଲଏମ ଅଧିକାରୀମାନେ ଘର କୁ ଘର ସର୍ବେକ୍ଷଣ କରି, ଆୟ ସ୍ତର, ଦକ୍ଷତା, ଏବଂ ଆର୍ଥିକ ସ୍ୱାଧୀନତାର ଆକାଂକ୍ଷାକୁ ତର୍ଜମା କରିଥିଲେ। ଏହି ମହିଳାମାନଙ୍କୁ କେବଳ ଚିହ୍ନଟ କରାଯାଇନଥିଲା, ସେମାନଙ୍କୁ ପ୍ରଶିକ୍ଷଣ, ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ମାର୍ଗଦର୍ଶନ ମଧ୍ୟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ସମ୍ଭାବ୍ୟ ଲକ୍ଷପତି ଦିଦି (ପିଏଲଡି)ଙ୍କ ପାଇଁ ବ୍ୟକ୍ତିଗତ ବ୍ୟବସାୟ ବିକାଶ ଯୋଜନା (BDPs) ପ୍ରସ୍ତୁତ କରାଯାଇଥିଲା।

ଆବର୍ତ୍ତନ ପାଣ୍ଠି ₹୧୫,୦୦୦ ରୁ ବୃଦ୍ଧି କରି ₹୩୦,୦୦୦ କରାଯାଇଥିବା ବେଳେ, କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ କୁ ୩୫ ଲକ୍ଷ ଟଙ୍କାରୁ ବଢ଼ାଇ ୬୦ ଲକ୍ଷ ଟଙ୍କା କରାଯାଇଛି । ଏହି କାର୍ଯ୍ୟକାରୀ ପୁଞ୍ଜିର ପ୍ରବାହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉତ୍ତମ ଉପକରଣରେ ନିବେଶ କରିବା, କାର୍ଯ୍ୟ ବିସ୍ତାର କରିବା ଏବଂ ବଡ ଧରଣର ଅର୍ଡରଗୁଡ଼ିକୁ ପୂରଣ କରିବାକୁ ସକ୍ଷମ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସେମାନଙ୍କର କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କିମ୍ବା ବିସ୍ତାର କରିବାରେ ସକ୍ଷମ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବାର ସହାୟତା ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।