ବିଜେଡିକୁ ବିଦ୍ରୋହର ଭୟ: ଘୋଷଣା କରି ପାରୁନି ରାଜ୍ୟ କାର୍ଯ୍ୟକାରିଣୀ !


ଓଡ଼ିଶା ଡଟ୍ ନ୍ୟୁଜ୍: ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡି ସଭାପତି ହେଲେ । ହେଲେ ନବୀନ ପୁଣି ସଭାପତି ହେବା ଯେତିକି ଚର୍ଚ୍ଚାରେ ନାହିଁ ତା ଠାରୁ ଅଧିକ ଚର୍ଚ୍ଚାରେ ରହିଛି ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରା ନଯିବା । ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ପାଓ୍ବାର କରିଡରରେ ଏମିତି ବି ଚର୍ଚ୍ଚା ହେଉଛି ବିଦ୍ରୋହ ଆଶଙ୍କାରେ ତାଲିକା ପ୍ରକାଶ କଲାନି ଦଳ ।

ପୂର୍ବରୁ ଦଳୀୟ ନିର୍ବାଚନ ବେଳେ ନବୀନ ସଭାପତି ହେବା କ୍ଷଣି କାର୍ଯ୍ୟକାରିଣୀ ଘୋଷଣା ହୋଇଯାଉଥିଲା । ଏଥର ଏମିତି ବ୍ୟତିକ୍ରମକୁ ନେଇ ରାଜ୍ୟ ରାଜନୀତିକୁ ଉଷ୍ଣ ହୋଇଛି । ଦଳ ଭିତରେ ଫାଟ ଜଳ ଜଳ ହୋଇ ଦିଶୁଚି । ଯେଉଁଥି ପାଇଁ ଏଯାଏଁ ୧୫ ସାଂଗଠନିକ ଜିଲ୍ଲାରେ ସଭାପତି ଚୟନ ହୋଇପାରି ନାହିଁ । ଯାହାକୁ ଖୋଦ୍ କିଛି ନେତା ସ୍ୱୀକାର ବି କରିଛନ୍ତି । କିନ୍ତୁ ଦଳ କହୁଛି ଖୁବ୍ ଶୀଘ୍ର କାର୍ଯ୍ୟକାରିଣୀ ଘୋଷଣା ହେବ । ଖାଲି ବିଜେଡି କାର୍ଯ୍ୟକାରିଣୀ ନୁହେଁ, ଟ୍ରଷ୍ଟ ବୋର୍ଡ ବି ଗଠନ ନେଇ ଘୋଷଣା ହୋଇନାହିଁ । ବିଜେଡି ସମ୍ବିଧାନ ଅନୁଯାୟୀ ୭ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ ହେବ । ଯାହାର କାମ ଦଳର ପାଣ୍ଠି ଓ ସଂପତ୍ତିର ତଦାରଖ କରିବା । କିନ୍ତୁ ଟ୍ରଷ୍ଟ ବୋର୍ଡ ସଂପର୍କରେ କୌଣସି ଘୋଷଣା ହୋଇ ନଥିବାରୁ ପାର୍ଟିରେ ଏବେଠୁ ନେତା ଓ କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଲାଣି । ୨୪ ବିପର୍ଯ୍ୟୟ ପରେ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ଯାଏଁ ଅଧିକାଂଶ ଏବେ ଦଳୀୟ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏଭଳି ସ୍ଥଳରେ ପାର୍ଟି ସୁପ୍ରିମୋଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।