ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ମଙ୍ଗଳବାର ସଫେଇ ଅଭିଯାନ କରାଯାଇଛି । ଡେରା ପରିସରରେ ଥିବା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତୀ ସଫେଇ କରାଯିବା ସହ ପ୍ରତିମୂର୍ତ୍ତୀ ପରିସରକୁ ମଧ୍ୟସଫା କରାଯାଇଛି । ମଞ୍ଚର ସଦସ୍ୟ ମାନେ ନିୟମିତ ବ୍ୟବଧାନରେ ଡେରା ପରିସରରେ ସଫେଇ କାଯର୍ୟକ୍ରମ ହାତକୁ ନେବା ପାଇଁ ଏହି ଅବସରରେ ନିଷ୍ପତ୍ତି ନେଇଛନ୍ତି । ଗୁରୁ ସତ୍ୟନାରାୟଣ ବହିଦାରଙ୍କ ନାମରେ ୨୦୧୭ ମସିହାରେ ଏକ ଉଦ୍ୟାନ ନିର୍ମାଣରୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମ୍ବଲପୁରୀ ଡେରାର ଭିତ୍ତିପ୍ରସ୍ତର ପଡିଥିଲା । ତେବେ ଦୀର୍ଘ ବର୍ଷ ଅବହେଲିତ ହୋଇ ପଡି ରହିଥିବା ବେଳେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପ୍ରଶାସନ ଏବଂ ସରକାର ନିକଟରେ ଏହାର ବିକାଶ ନେଇ ଦାବୀ ଉପସ୍ଥାପନ କରି ଆସିଥିଲା । ଏହାପରେ ଜିଲାପ୍ରଶାସନ ପକ୍ଷରୁ ଡେରାର ବିକାଶ କାଯର୍ୟ ଆରମ୍ଭ ହୋଇଛି । ତେବେ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ଭାଷା ସଂସ୍କୃତି ପାଇଁ ବିକଶିତ କରି ସମ୍ବଲପୁରୀ ପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ଆହୁରି ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେଥିପାଇଁ ପ୍ରଶାସନକୁ ସହଯୋଗ କରିବା ସହ ନିଜସ୍ବ ଉଦ୍ୟମରେ ସମ୍ବଲପୁରୀ ସମ୍ପର୍କିତ ଅନେକ ବ୍ୟବସ୍ଥା କରିବାକୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସ୍ଥିର କରାଯାଇଛି । ଏହାସହ ନିୟମିତ ସଫେଇ ଅଭିଯାନ କରି ସହରର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ବଲପୁରୀ ଡେରା ସହ ଯୋଡିବାକୁ ପ୍ରୟାସ କରାଯିବ ବୋଲି ଏକତା ମଞ୍ଚ ପକ୍ଷରୁ ଯୋଜନା କରାଯାଇଛି । ଏହାଦ୍ୱାରା ସମ୍ବଲପୁରୀ ଡେରା ପରିସର ସଫା ରହିବା ସହ ସମ୍ବଲପୁରୀ ପ୍ରେମୀ ମଧ୍ୟ ଡେରା ସହ ନିଜକୁ ଯୋଡି ପାରିବେ ବୋଲି ଆଶା କରାଯାଉଛି । ଆଜିର ଏହି କାଯର୍ୟକ୍ରମରେ ଅମିତାଭ ମାଝୀ, ରାଜେଶ ସ୍ବାଇଁ, ପଙ୍କଜିନୀ ବୈଠାରୁ, ତୃପ୍ତୀମୟୀ ପଣ୍ଡା, ବବିତା ପାଢୀ, ଅନୁପମା ବିଶ୍ୱାଲ, ମାନସ ରଞ୍ଜନ ବକ୍ସୀ, ଭବାନୀଶ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।
ସମ୍ବଲପୁରୀ ଡେରା ସହ ଲୋକଙ୍କୁ ଯୋଡିବାକୁ ପ୍ରୟାସ
