ପାଓ୍ବାର କଟ୍ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ:ସାରା ସମ୍ବଲପୁର ଜିଲ୍ଲାରେ ଚାଲିଛି ବିଜୁଳିର ଲୁଚକାଳୀ ଖେଳ, ଟଙ୍କା ନଦେଲେ ଲାଇନ କାଟ


ସମ୍ବଲପୁର: ରାଜ୍ୟରେ ବିଦ୍ୟୁତ କାଟ ହେବନି । ଗ୍ରୀଷ୍ମପ୍ରବାହ ସମୟରେ କାହାର ବି ବିଦ୍ୟୁତ୍ କାଟ କରାଯିବ ନାହିଁ । ଉପଭୋକ୍ତା ବକେୟା ବିଲ୍ ପ୍ରଦାନ କରିନଥିଲେ ମଧ୍ଯ ଲାଇନ କଟିବନି । ମଙ୍ଗଳବାର ଏଭଳି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ କାମ କରୁନି ସମ୍ବଲପୁର ଜିଲ୍ଲାରେ। କୌଣସି କାରଣ ନଥାଇ ବିଜୁଳି କାଟ ହୋଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେବି ସମ୍ବଲପୁର ସହର ସହିତ ବୁର୍ଲା, ହୀରାକୁଦ, କୁଚିଣ୍ଡା, ରେଢ଼ାଖୋଲ ସହର ସମେତ ପୁର ପଲ୍ଲୀରେ ଘଡିକେ ଘଡି, ତୁହାକୁ ତୁହା ବିଜୁଳିର ଲୁଚକାଳୀ ଖେଳ ଅତିଷ୍ଟ କଲାଣି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ।ବୁର୍ଲା ଭୀମସାର ବି ଏଥିରୁ ବର୍ତ୍ତିନି। ବୁର୍ଲା ଭୀମସାର ପରି ସମ୍ବଲପୁର ମୁଖ୍ୟ ଚିକିତ୍ସାଲୟରେ ମଧ୍ୟ ସମାନ ଅବସ୍ଥା। ଦୀପତଳ ଅନ୍ଧାର ପରି ବୁର୍ଲା, ହୀରାକୁଦ ଓ ସମ୍ବଲପୁରର ଅବସ୍ଥା। ସମ୍ବଲପୁର ଜିଲା ହୀରାକୁଦ ସାରା ଓଡିଶା ସହିତ ଅନ୍ୟ ରାଜ୍ୟକୁ ବିଜୁଳି ସେବା ଯୋଗାଇ ବିଦ୍ୟୁତ ବଳକା ହେଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ବିଜୁଳି ସେବା ପାଇଁ ଗ୍ରାହକଙ୍କ ମନରେ ଥିବା ପିଞ୍ଜିଭୂତ କୋହ କେତେବେଳେ କେଉଁ ରୂପ ଧାରଣ କରିବ ତାହା କହିହେବ ନାହିଁ। ତେଣୁ ରାଜ୍ୟ ସରକାର ସମ୍ବଲପୁର ଜିଲ୍ଲାର ଏହି ମୁଖ୍ୟ ସମସ୍ୟା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଦ୍ୟୁତ ଉପଭୋକ୍ତାଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ବୁଦ୍ଧିଜିବି ମହଲରେ ଗୁରୁତ୍ୱ ଦିଆଯାଉଛି।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାଓ୍ବାର କଟ୍ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂହଦେଓ। କିନ୍ତୁ ମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ପ୍ରଭାବ ଶୂନ୍ୟ ହୋଇଛି ସମଗ୍ର ସମ୍ବଲପୁର ଜିଲ୍ଲାରେ।କୌଣସି ଉପଭୋକ୍ତା ବିଦ୍ୟୁତ୍ ବିଲ୍ ପୈଠ କରିନଥିଲେ ବି ଗ୍ରୀଷ୍ମପ୍ରବାହ ସମୟରେ ତାଙ୍କର ବିଦ୍ୟୁତ୍ କାଟ କରାଯିବନି ବୋଲି ମନ୍ତ୍ରୀ କହିଥିଲେବି ଏରିଅର ବିଲ ବାହାନା ଦେଖାଇ ଟିପିଡ଼ବ୍ଲୁଡ଼ିଏଲ କିନ୍ତୁ ଉପଭୋକ୍ତାଙ୍କ ବକେୟା ବିଲ୍ ପରିଶୋଧ ନକରିବା କାରଣ ଦେଖାଇ ଗୋଟିଏ ପରେ ଗୋଟିଏ ଲାଇନ କାଟିବାରେ ଲାଗିଛି। ଏହାକୁ ନେଇ ଜନ ଅସନ୍ତୋଷ ଲାଗି ରହିଥିଲେବି ସରକାରୀ କଟକଣାରୁ ମୁକ୍ତ ଥିବା ପରି ଟାଟା ପାୱାର ତାର କରାମତି ଦେଖାଇ ଚାଲିଛି।ସରକାର କିମ୍ବା ମନ୍ତ୍ରୀ କାହାକୁ ଖାତିର କରୁନଥିବା ତାର ଏଭଳି ମନୋଭାବ ଓ କାର୍ଯ୍ୟାନୁଷ୍ଠାନ ରୁ ସ୍ପଷ୍ଟ ହେଉଛି।କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା। କିନ୍ତୁ ସାମାନ୍ୟ ପବନ ବହିଲେ ପୁର ପଲ୍ଲୀ ସହିତ ସମ୍ବଲପୁର ସହରରେ ବିଦ୍ୟୁତ
ସେବା ବ୍ୟାହତ ହେଉଛି। ବିଜୁଳି ର ଲୁଚକାଳୀ ଖେଳ ନିତିଦିନିଆ ହେଲାଣି। କୌଣସି କାରଣ ନଥାଇ ଦିନକୁ ଏକାଧିକ ଥର ବିଜୁଳି ଦେଖାଉଛି ତାର ଲୁଚକାଳୀ ଖେଳ।କାଳବୈଶାଖୀ ପରେ ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି ଫେରିଛି । ଦିନ ବେଳା ଘରୁ ବାହାରିବା ତ ଦୂରର କଥା ଗରମ ଗୁଳିଗୁଳିରେ ଘରେ ରହିବା ବି କଷ୍ଟକର ହୋଇପଡୁଛି । ରାଜ୍ୟରେ ଏବେ ତାପମାତ୍ରା ଉପରମୁଁହା ଥ‌ିବା ବେଳେ ଟାଟା ପାୱାର ଯଦି ନିଜର ସେବା ନଯୋଗାଇ ନିଜର କରାମତି ଦେଖାଇବ ତେବେ ଏହା ଆଗକୁ ବିପଦର କାରଣ ହୋଇପାରେ। ପଡିଆବାହଲ ସେକ୍ସନ ର ବଡ଼ତୁରାଙ୍ଗ ଗ୍ରାମର ଶିଵ ମେହେର ନାମକ ଜନୈକ ବିଦ୍ୟୁତ ଉପଭୋକ୍ତା ଗତ ୫ ଦିନ ତଳେ ୧୫ ହଜାର ଟଙ୍କା ବକେୟା ବିଲ ପରିଶୋଧ କରିଥିଲେବି ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇନି। ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଆଜି କାଲି କହି ସମୟ ଗଡୁଛି। ଏଭଳି ଗଣ୍ଡା ଗଣ୍ଡା ଅଭିଯୋଗ ବିଦ୍ୟୁତ ଉପଭୋକ୍ତା ସଂଘକୁ ପହଞ୍ଚିଛି । ସଂଘ ମଧ୍ୟ୍ୟ ଉପଭୋକ୍ତା ଓ କମ୍ପାନୀ ସହିତ ସାମ୍ମନ୍ମୟ ରଖି ସମସ୍ୟା ଟାଳିବାକୁ ପ୍ରୟାସ କରୁଛି। କିନ୍ତୁ ବିଭାଗୀୟ ସହଯୋଗ ମିଳୁନଥିବାରୁ ଓ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଟିପିଡ଼ବ୍ଲୁଡ଼ିଏଲ ଯଦି ତାର ମନୋଭାବରେ ପରିବର୍ତ୍ତନ ଆଣି ବିଦ୍ୟୁତ ସଂଯୋଗ ନଦିଏ ତେବେ ଜନ ଜୀବନରେ ସାଙ୍ଘାତିକ ସମସ୍ୟା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।ସମ୍ବଲପୁର ଜିଲ୍ଲାର ପ୍ରାୟ ସବୁ ସେକ୍ସନରେ ଏଭଳି ଲମ୍ବା ଅଭିଯୋଗ ରହିଛି।ବିଭାଗୀୟ ଅଧିକାରୀ ମାନେ ବିଛିନ୍ନ କରିଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଅବିଳମ୍ବେ ବିଦ୍ୟୁତ ସଂଯୋଗ ଦେବାକୁ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘର ଆବାହକ ଡାକ୍ତର ରାଜାରାମ ଷଡ଼ଙ୍ଗୀ ନିବେଦନ କରିଛନ୍ତି।
ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳଗୁଲି ଜୀବନ ଧାରଣ ପାଇଁ ଦୁର୍ବିସହ ହେଉ ଥିବାରୁ ମାନବିକତା ଦୃଷ୍ଟିକୋଣରୁ ଟାଟା ପାୱାର କିଛି ସମୟ ନରମି ଯାଇ ଲୋକଙ୍କ ଜୀବନ ଯନ୍ତ୍ରଣା ସମୟରେ ସହଯୋଗ କରିବାକୁ ଡାକ୍ତର ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରି ନିୟମିତ ବିଦ୍ୟୁତ ସେବା ଅବ୍ୟାହତ ରଖିବାକୁ ଯତ୍ନଶୀଳ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି।ଯଦି ଏଥିରେ ବିଳମ୍ଭ ହୋଇ ଜନ ଜୀବନରେ ବିପଦ ଆସେ ତେବେ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ଅଭିଯୋଗକୁ ନେଇ ଗୋଟିଏ ଦିନରେ ଏକାଧିକ କଞ୍ଜୁମର କେଶ କରି ସଂଘ ବିକଳ୍ପ ସେବା ପାଇଁ ବାଧ୍ୟ ହେବ।