ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ୍ ନରସଂହାର ପରେ ଭାରତର ବଡ଼ ଆକ୍ସନ । ଦୀର୍ଘ ଅଢେଇ ଘଣ୍ଟା ଧରି ଚାଲିଥିବା CCS ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍ କରି ଯେଉଁ ଘୋଷଣା କଲେ, ତାହା ଶୁଣି ଆତଙ୍କବାଦୀଙ୍କ ଆକ୍କା ସାଜିଥିବା ପାକିସ୍ତାନରେ କୋକୁଆ ଭୟ ଖେଳି ଯାଇଛି । ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି ଭାରତ ସରକାର । ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କଲା ଭାରତ । ତେବେ ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଅଟାରୀ-ୱାଘା ବର୍ଡର ଦେଇ ଆସିଛନ୍ତି ସେମାନେ ମେ’ ୧ ତାରିଖ ପୂର୍ବରୁ ଫେରନ୍ତୁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।
ସେହିପରି ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ଉପରେ ଲାଗିଲା କଟକଣା । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି । ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛି ଭାରତ । ଦୂତବାସୀ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ନିଆଯାଇଛି । ସେହିପରି ପାକ୍ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ ବୋଲି ଭାତର ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପହଲଗାମ୍ ଆତଙ୍କୀ ଆକ୍ରମଣ: ସିନ୍ଧୁ ନଦୀ ଚୁକ୍ତି ବାତିଲ, ୪୮ ଘଣ୍ଟାରେ ଭାରତ ଛାଡିବାକୁ ପାକିସ୍ତାନୀଙ୍କୁ ନିର୍ଦ୍ଦେଶ
