Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୂରଣ ହେବ ୩୨ ହଜାର ପୁଲିସ ପଦବି, ପୋଷାକ ଭତ୍ତା ହେଲା ଦୁଇ ଗୁଣ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ଓଡିଶାର ପୁଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ପୁଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବି ଖାଲି ଥିବାବେଳେ, ଆହୁରି ୧୬,୦୫୯ଟି ନୂଆ ପଦବି ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏସବୁ ପଦବି ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୁଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ ପୁଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀମାନେ ଅନ୍ୟ ରାଜ୍ୟକୁ ଯାଇ, ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତାମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନ ଗୁଡିକରେ କାର୍ଯ୍ୟ କରିବାକୁ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୁଲିସ ସେବା କର୍ମଚାରୀ ମାନଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡ଼ିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ।

ଅସହାୟମାନେ କିଭଳି ଯଥା ଶୀଘ୍ର ସହାୟତା ପାଇବେ, ଅସୁରକ୍ଷିତ ଲୋକେ କିଭଳି ତୁରନ୍ତ ସୁରକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦେବା ଓ ସମସ୍ତ ପୁଲିସ ଷ୍ଟେସନରେ ଅଭିଯୋଗ ତୁରନ୍ତ ଗ୍ରହଣ ଏବଂ ସେହି ମାମଲା ଉପରେ କିଭଳି ଠିକ୍ ସମୟରେ ତଦନ୍ତ କରାଯିବ, ସେଥିପ୍ରତି ଯତ୍ନଵାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାଜ୍ୟ ପୁଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି।

ଇନ୍ସପେକ୍ଟରମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ରୁ ୮୬୦୦ ଟଙ୍କା, ସବ୍ଇନ୍ସପେକ୍ଟର ଓ ଏଏସ୍ଆଇମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀମାନଙ୍କ ପାଇଁ ୫୦୦୦ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପଦବିର ସମାନ ର୍ୟାଙ୍କର କର୍ମଚାରୀ ଓ ଅଧିକାରୀମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ।

ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ର୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାସହିତ ହାବିଲଦାର ଓ ସମାନ ର୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ୍ଷ୍ଟ୍ରା ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଯୋଗୁ ଆଜି କନେଷ୍ଟବଳ, ହବିଲଦାର ଓ ସିପାହୀ ସଂଘର କର୍ମକର୍ତ୍ତା ମାନେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି କୃତଜ୍ଞତା ପ୍ରକାଶ କରିଥିଲେ।

ବୈଠକ ଆରମ୍ଭରେ ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ସ୍ୱାଗତଭାଷଣ ଦେବା ସହିତ ନିକଟରେ ପୁଲିସ ବାହିନୀର ବିଭିନ୍ନ ବିଭାଗକୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କନେଷ୍ଟବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଅନିଲ କୁମାର ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଂପାଦକ କିଶୋର କୁମାର ମହାନ୍ତି ଓ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।