Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯଦି ଯୁଦ୍ଧ ହୁଏ କେବଳ ସେନା ନୁହେଁ, ପାକିସ୍ତାନ ପୁରା ଦେଶ ଧ୍ୱଂସ ହୋଇପାରେ : ଆମେରିକା ରିପୋର୍ଟ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତରେ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ବସିଥିଲା, ଯେଉଁଥିରେ ସିନ୍ଧୁଜଳ ଚୁକ୍ତିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ଦୂତାବାସର କର୍ମଚାରୀ ସଂଖ୍ୟା କମାଯିବ ଏବଂ ଅଟାରୀ ସୀମାକୁ ବନ୍ଦ କରାଯିବ।

ଭାରତ ସରକାର ସମୁଦାୟ ୫ଟି କଠୋର ନିଷ୍ପତ୍ତି ନେଇଛନ୍ତି ଏବଂ ଯୁଦ୍ଧର ସମ୍ଭାବନା ମଧ୍ୟ ରହିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ସେଠାକାର ଅନେକ ନେତା ବାରମ୍ବାର କହୁଛନ୍ତି ଯେ, ଭାରତ କିଛି ବି କରିପାରେ। ସେପଟେ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଏକ ଦସ୍ତାବିଜ ଉପରେ ଆଲୋଚନା ଚାଲିଛି। ଏହା ଥିଲା ୧୯୯୩ ମସିହାର ଗୁପ୍ତ ରିପୋର୍ଟ, ଯାହା ଏବେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ସହ ଜଡ଼ିତ ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି ଭାରତ ସହ ଆଉ ଏକ ବଡ଼ ଯୁଦ୍ଧ ହୁଏ ତେବେ ସେମାନଙ୍କ ସେନା ଧ୍ୱଂସ ହୋଇଯିବ।

ଆମେରିକୀୟ ଏଜେନ୍ସିର ଏହି ରିପୋର୍ଟରେ ଭାରତ ଓ ପାକିସ୍ତାନର ସାମରିକ ଓ ଅର୍ଥନୈତିକ ଶକ୍ତିକୁ ତୁଳନା କରାଯାଇଥିଲା। ଏହାବ୍ୟତୀତ ଦୁଇ ଦେଶର ରାଜନୈତିକ ବାତାବରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆମେରିକୀୟ ଏଜେନ୍ସି ଏହି ରିପୋର୍ଟରେ କହିଛି ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ମାତ୍ର ୨୦ ପ୍ରତିଶତ ରହିଛି। କିନ୍ତୁ ଏହା ସେତେବେଳେ ହିଁ ସମ୍ଭବ, ଯେତେବେଳେ ଆତଙ୍କବାଦ ମାମଲା ସାମ୍ନାକୁ ଆସିବ। ସିଆଇଏ ରିପୋର୍ଟର ଶୀର୍ଷକ ଥିଲା ‘ଭାରତ-ପାକିସ୍ତାନ: ୧୯୯୦ ଦଶକରେ ଯୁଦ୍ଧର ସମ୍ଭାବନା’। ଏହି ରିପୋର୍ଟରେ କୁହାଯାଇଛି ଯେ, ଯୁଦ୍ଧ ଆରମ୍ଭ କରିବାରେ ଭାରତର କୌଣସି ରଣନୈତିକ ସ୍ୱାର୍ଥ ନାହିଁ। କିନ୍ତୁ ପାକିସ୍ତାନ ନିଶ୍ଚିତ ଭାବରେ ଚିନ୍ତିତ ଯେ ଯଦି ଆଉ ଏକ ବଡ଼ ଯୁଦ୍ଧ ହୁଏ, ତେବେ କେବଳ ସେନା ନୁହେଁ, ସେମାନଙ୍କ ଦେଶ ଧ୍ୱଂସ ହୋଇପାରେ। ଏହା ବ୍ୟତୀତ ଏହି ରିପୋର୍ଟରେ ପରମାଣୁ ଅସ୍ତ୍ର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ ବିଶ୍ୱାସ କରେ ଯେ ପରମାଣୁ ଅସ୍ତ୍ର ନିଜ ପ୍ରତିରକ୍ଷା ପାଇଁ। ଭାରତର ବଢୁଥିବା ଶକ୍ତିରୁ ଏହା ଏକ ଅସ୍ତିତ୍ୱ ବିପଦର ସମ୍ମୁଖୀନ ହୋଇଛି।

ଏଭଳି ସ୍ଥିତିରେ ଏହାର ମୁକାବିଲା ପାଇଁ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରାଯାଇଛି। ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ବିଷୟରେ ମଧ୍ୟ ଆମେରିକୀୟ ରିପୋର୍ଟରେ ଦର୍ଶାଯାଇଛି। ଏଥି କୁହାଯାଇଛି ଯେ, ଉଭୟ ଦେଶ ଭିତରେ ଯୁଦ୍ଧ ହେବାର ସମ୍ଭାବନା ନାହିଁ, କିନ୍ତୁ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ସାମରିକ ବଳ ପ୍ରୟୋଗ କରିପାରେ। ନିୟନ୍ତ୍ରଣରେଖାରୁ ଅନୁପ୍ରବେଶ ଓ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଭାରତ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଏହା ଦୁଇ ଦେଶ ମଧ୍ୟରେ ଯୁଦ୍ଧର ରୂପ ନେଇପାରେ। ୧୯୭୧ ଯୁଦ୍ଧରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଫଗାନିସ୍ତାନ ମଧ୍ୟ ଏହାକୁ ନେଇ ପାକିସ୍ତାନକୁ ବାରମ୍ବାର କଟାକ୍ଷ କରୁଛି।