ଶକ୍ତିଶାଳୀ ସେନାର ରାଙ୍କିଂ ଜାରି କରୁଥିବା ଗ୍ଲୋବାଲ୍ ଫାୟାରପାୱର ଇଣ୍ଡେକ୍ସ ୨୦୨୫ ଅନୁସାରେ ଭାରତର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ସେନା ନବମ ସ୍ଥାନରୁ ଖସି ୧୨ତମ ସ୍ଥାନରେ ରହିଛି । ଗ୍ଲୋବାଲ୍ ଫାୟାରପାୱର ଇଣ୍ଡେକ୍ସ ୬୦ରୁ ଅଧିକ କାରକକୁ ନେଇ ନିଜ ରିପୋର୍ଟ ପ୍ରସ୍ତୁତ କରିଥାଏ । ଏଥିରେ ଦେଶର ଜିଡିପି, ଜନସଂଖ୍ୟା, ସୈନ୍ୟ ବଳ ଓ ଦେଶର କ୍ରୟ ଶକ୍ତିକୁ ସାମିଲ କରାଯାଇଥାଏ ।
ଦୁଇ ଦେଶର ମିଲିଟାରୀ ବଜେଟ୍
ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବା ବେଳେ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ପ୍ରତିରକ୍ଷା ବଜେଟ ୬.୮ ଲକ୍ଷ କୋଟି ଟଙ୍କା (୭୯ ବିଲିୟନ ଡଲାର) ରଖାଯାଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ବଜେଟ ଆକଳନ ଠାରୁ ୯.୫% ଅଧିକ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହାର ପ୍ରତିରକ୍ଷା ବଜେଟ୍ ୧୫୯ ବିଲିୟନ ଟଙ୍କା ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି, ଯାହା ପରେ ଏହାର ଡିଫେନ୍ସ ବଜେଟ୍ ୨,୨୮୧ ବିଲିୟନ ଟଙ୍କା ହେବ ।
ମିଲିଟାରୀ ଶକ୍ତି
ସୈନିକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ୱରେ ଦ୍ୱିତୀୟ । ଏହାର ମୋଟ ସୈନିକ ସଂଖ୍ୟା ୧୪,୫୫,୫୫୦ । ଏହା ସହିତ ଭାରତର ୧୧,୫୫,୦୦୦ ରିଜର୍ଭ ସୈନିକ ଅଛନ୍ତି । ଫାୟାରପାୱାର ଇଣ୍ଡେକ୍ସ ଅନୁସାରେ ପାକିସ୍ତାନୀ ସେନାରେ ସୈନିକ ସଂଖ୍ୟା ୬,୫୪,୦୦୦ । ଭାରତରେ ୨୫,୨୭,୦୦୦ ଅର୍ଦ୍ଧସାମରିକ ବାହିନୀ ଥିବା ବେଳେ ପାକିସ୍ତାନରେ ୫,୦୦,୦୦୦ ଅର୍ଦ୍ଧସାମରିକ ବାହିନୀ ଅଛି । ଭାରତ ପାଖରେ ୪,୨୦୧ ଟ୍ୟାଙ୍କ ଥିବା ବେଳେ ପାକିସ୍ତାନ ପାଖରେ ୨,୬୨୭ ଟ୍ୟାଙ୍କ ଅଛି । ଭାରତ ପାଖରେ ଟି-୯୦ ଭୀଷ୍ମ ଏବଂ ଅର୍ଜୁନ ଟ୍ୟାଙ୍କ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ପିନାକ ରକେଟ୍ ସିଷ୍ଟମ ଭଳି ଉନ୍ନତ ପ୍ରଣାଳୀ ମଧ୍ୟ ଅଛି । ସେହିପରି ଭାରତ ପାଖରେ ୧,୪୮,୫୯୪ଟି ସଶସ୍ତ୍ର ଯାନ ଅଛି, ଯାହା ପାକିସ୍ତାନଠାରୁ ତିନି ଗୁଣ ଅଧିକ ।
ବାୟୁସେନା
ରିପୋର୍ଟ ଅନୁସାରେ ପାକିସ୍ତାନ ପାଖରେ ମୋଟ ୧,୩୯୯ ଏୟାରକ୍ରାଫ୍ଟ ଅଛି, ଏଥିରୁ ୩୨୮ଟି ଲଢ଼ୁଆ ବିମାନ ରହିଛି । ଅନ୍ୟପଟେ ଭାରତ ପାଖରେ ୫୧୩ଟି ଯୁଦ୍ଧ ବିମାନ ସହିତ ୨,୨୨୯ ଏୟାରକ୍ରାଫ୍ଟ ଅଛି । ଭାରତ ପାଖରେ ୬ଟି ଏରିୟଲ୍ ଟ୍ୟାଙ୍କର୍ ଥିବା ବେଳେ ପାକିସ୍ତାନ ପାଖରେ ୪ଟି ଅଛି । ଭାରତ ପାଖରେ ୮୯୯ଟି ହେଲିକପ୍ଟର ଥିବା ବେଳେ ପାକିସ୍ତାନ ପାଖରେ ୩୭୩ଟି ଅଛି ।
ନୌସେନା
ଭାରତ ପାଖରେ ଏକ ସୁଦୀର୍ଘ ସାମୁଦ୍ରିକ ସୀମା ଅଛି । ବଙ୍ଗୋପସାଗର, ଆରବ ସାଗର ଏବଂ ଭାରତ ମହାସାଗର ଉଭୟ ଆର୍ଥିକ ଏବଂ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ସେପଟେ ପାକିସ୍ତାନର କେବଳ ଆରବ ସାଗର ସହିତ ସାମୁଦ୍ରିକ ସୀମା ଅଛି । ଭାରତର ନୌସେନା ପାକିସ୍ତାନ ତୁଳନାରେ ବହୁ ଶକ୍ତିଶାଳୀ । ପାକିସ୍ତାନ ନୌସେନା ପାଖରେ ୧୨୧ ଜାହାଜ ଥିବାବେଳେ ଭାରତ ପାଖରେ ୨୯୩ ଜାହାଜ ଅଛି । ଭାରତ ପାଖରେ ୧୮ଟି ବୁଡ଼ାଜାହାଜ ଥିବା ବେଳେ ପଡ଼ୋଶୀ ଦେଶ ପାଖରେ ୮ଟି ରହିଛି ।
ଦୁଇଟି ବିମାନ ବାହକ – ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ ଏବଂ ବିଧ୍ୱଂସୀ, କର୍ଭେଟ୍, ଫ୍ରିଗେଟ୍ ଏବଂ ବୁଡ଼ାଜାହାଜ ଭାରତକୁ ଏକ ବ୍ଲୁ-ୱାଟର ନୌସେନା କରେ । ଏହାର ଅର୍ଥ ହେଉଛି ଏକ ସାମୁଦ୍ରିକ ବାହିନୀ ଭାବରେ ଭାରତ ବିଶ୍ୱ ସ୍ତରରେ କାର୍ଯ୍ୟ କରିପାରିବ ଏବଂ ଏହାର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ର ପ୍ରଣାଳୀକୁ ଏହାର ବାହକ ସହିତ ବିଶ୍ୱର ଯେକୌଣସି ସ୍ଥାନକୁ ଆଣିପାରିବ । ଅନ୍ୟପଟେ ପାକିସ୍ତାନ ପାଖରେ କୌଣସି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ସୀମିତ ସାଧାନ ଯୋଗୁଁ ପାକିସ୍ତାନ ନୌସେନା ଗ୍ରିନ-ୱାଟର ନେଭି ।