ଦୁଇ ଗୁଣା ବଢ଼ିଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା


ଭୁବନେଶ୍ବର: ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ବଢ଼ିଲା । ରାଜ୍ୟ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ଦୁଇଗୁଣା ବୃଦ୍ଧି ହୋଇଛି । କନଷ୍ଟେବଳଙ୍କଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କାକୁ ବଢ଼ା ଯାଇଥିବା ବେଳେ ଏସଆଇ ଓ ଏଏସଆଇଙ୍କ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି ।

ସେହିପରି ହାବିଲଦାର, କନଷ୍ଟେବଳ ଓ ସିପାହୀଙ୍କ ବାର୍ଷିକ ପୋଷାକ ଭତ୍ତା ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ଏହା ବ୍ୟତୀତ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ପୋଷାକ ଭତ୍ତା ୫ ହଜାର ୯୦୦ ଟଙ୍କାରୁ ୧୧ ହଜାର ୮୦୦ ଟଙ୍କାକୁ ବୃଦ୍ଧି ପାଇଛି । 

କନଷ୍ଟେବଳ, ସିପାହୀଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବଢ଼ିଥିବାବେଳେ ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର ଟଙ୍କାକୁ ବଢ଼ାଯାଇଛି ।