ଗ୍ରାମାଞ୍ଚଳରେ ଦୂର ହେବ ଶିକ୍ଷକ ସମସ୍ୟା, ସହରରୁ ଯିବେ ଶିକ୍ଷକ


ଓଡ଼ିଶା ଡଟ୍ ନ୍ୟୁଜ୍: ଶିକ୍ଷକ ସମସ୍ୟା ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଶେଷ କରି ଗ୍ରାମାଞ୍ଚଳ ଶିକ୍ଷକ ସମସ୍ୟା ହେବ ଦୂର । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଯଥେଷ୍ଟ କମ୍ ଶିକ୍ଷକ ଅଛନ୍ତି । ଏପରିକି ବହୁ ସ୍କୁଲ ଜଣେ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ ରହିଛି ।

ଏମିତି ସ୍ଥିତିରେ ଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରା‌ଯିବ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।  ଜରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି, ଯଥାଶୀଘ୍ର ସହରାଞ୍ଚଳ, ବ୍ଳକ ହେଡକ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନ‌ଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ କୁହାଯାଇଛି ।