ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ରାତିସାରା କଲା ଗୁଳିବର୍ଷା


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ନରସଂହାର ପରେ ଭାରତର ଆକ୍ସନ ଦେଖି ପାକିସ୍ତାନ ଛାନିଆ । ଯୁଦ୍ଧ ଭୟ ପାକିସ୍ତାନୀ ସେନା ଭିତରେ ଏତେ ଘାରିଛି ଯେ, ଅକାରଣରେ ଭରତୀୟ ସୀମା ଭିତରକୁ ଗୁଳିବର୍ଷା କରୁଛି । ଏଥିରେ ଭାରତୀର କିଛି କ୍ଷତି ହେଉ ନଥିଲେ ବି ପାକିସ୍ତାନ ସେନାକୁ ପାଲଟା ଜବାବ ମିଳୁଛି । ଗତକାଲି ରାତି ସାରା ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏଲ୍ଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସାରା ରାତି ଗୁଳି ଚଳାଇଛି ।

ସେପଟେ ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟୀରେ ସକ୍ରିୟ ଦୁଇ ଆତଙ୍କବାଦୀଙ୍କ ଘରକୁ ବିସ୍ଫେରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି । ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୩ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି । ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା ।