ଓଡ଼ିଶା ଡଟ୍ ନ୍ୟୁଜ୍: ଆଜି ପୋପ୍ ଫ୍ରାନସିସଙ୍କ ଅନ୍ତିମ ସଂସ୍କାର । ରୋମରେ ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ପ୍ରତିନିଧି, ଖ୍ରୀଷ୍ଟ ଧର୍ମର ଧର୍ମଯାଜକ ଓ ତୀର୍ଥଯାତ୍ରୀ । ଭାରତ ତରଫରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୋପଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ । ଏତିପାଇଁ ସେ ଦୁଇଦିନିଆ ରୋମ ଗସ୍ତରେ ଅଛନ୍ତି । ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବ୍ରିଟେନର ପିଏମ୍ ଷ୍ଟାର୍ କିରମର୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ୟୁକ୍ରେନର ରାଷ୍ଟ୍ରପତି ଜେନେନସ୍କି ପ୍ରମୁଖ ପୋପଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଅନ୍ତିମ ବିଦାୟ ଜଣାଇବେ ।
ଗତ ସୋମବାର ପୋପଙ୍କ ପରଲୋକ ଘଟିଥିଲା । କିଛି ଦିନ ଧରି ସେ ନିମୋନିଆରେ ପୀଡ଼ିତ ଥିଲେ । ସୋମବାର ଦିନ ୮୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଭାଟିକାନ ସିଟିର ମାରିଆ ମାଗିଓରେ ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ । ସାଧାରଣତଃ ସମସ୍ତ ପୋପଙ୍କୁ ସେଣ୍ଟ ପିଟର୍ସର ବାସିଲିକାରେ କବର ଦିଆଯାଇଥାଏ । କିନ୍ତୁ ମାରିଆ ମାଗିଓ ଚର୍ଚ୍ଚରେ କବର ପାଇଁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ପୋପ୍ । ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଏହି ଚର୍ଚ୍ଚରେ ତାଙ୍କୁ କବର ଦିଆଯିବ ।
ଆଜି ଭାରତୀୟ ସମୟ ଦିନ ସାଢ଼େ ଗୋଟାଏରୁ ପ୍ରକ୍ରିୟା ଆରମ୍ଭ ହେବ । ସେଣ୍ଟ ପିଟର୍ସ ସ୍କୋୟାରରେ ପୋପଙ୍କ ପାର୍ଥିବ ଶରୀର ରଖାଯାଇଥିଲା । ଏଠାରେ ସାଧାରଣ ଲୋକେ ପୋପଙ୍କ ଅନ୍ତିମ ଦର୍ଶନ କରିଥିଲେ ।