ବିଳିବିଳଉଛି ପାକିସ୍ତାନ । ଭାରତ ଭୟରେ ତାଟିଆ କାମୁଡୁଛି । ଗତକାଲି ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ପରେ ଏବେ ରେଳମନ୍ତ୍ରୀ ବିଳିବିଳେଇଛନ୍ତି । ଭାରତକୁ ଫମ୍ପା ଧମକ ଦେଇଛି ପାକିସ୍ତାନ । ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାରେ ଲାଗିଛି ।ପାକିସ୍ତାନ ଉପରେ ୱାର୍ଟର ଷ୍ଟ୍ରାଇକ୍ କରିଛି ଭାରତ । ଏହା ପରେ ପାକିସ୍ତାନ ମୁଣ୍ଡ କାମ କରୁନାହିଁ ।
ପହଲଗାମ ଆତଙ୍କୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ ଭାରତ ଭୟରେ ଥରୁଛି ପଡୋଶୀ ଦେଶ । ଏହାରି ମଧ୍ୟରେ ପାକିସ୍ତାନ ରେଳମନ୍ତ୍ରୀ ହନିଫ ଅୱେସୀ ଭାରତକୁ ଫମ୍ପା ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଆମ ପାଣି ବନ୍ଦ କରିବ ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ । ଆମେ ଗୌରି, ଶହୀନ, ଗଜନବୀ ଏବଂ ୧୩୦ ପରମାଣୁ ବୋମା କେବଳ ହିନ୍ଦୁସ୍ଥାନ ପାଇଁ ରଖିଛୁ ।
ହନିଫ ଅୱେସୀ ଆହୁରି କହିଛନ୍ତି, ”ଆମ ପାଖରେ ସବୁଠୁ ଶକ୍ତିଶାଳୀ ପରମାଣୁ ବୋମା ଅଛି । ଭାରତ ଯଦି କିଛି ଦୁଃସାହାସିକ ନିଷ୍ପତ୍ତି ନିଏ ତେବେ ପରିଣାମ ଭୋଗିବାକୁ ପଡିବ । ଯଦି ଭାରତ ପାକିସ୍ତାନ ପାଣି ରୋକିଲା ଜବାବ ଦିଆଯିବ । ୧୩୦ ପରମାଣୁ ବୋମା କେବଳ ହିନ୍ଦୁସ୍ଥାନ ପାଇଁ ରହିଛି । ପରମାଣୁ ବୋମା ହିନ୍ଦୁସ୍ଥାନ ମୁହାଁ ରହିଛନ୍ତି । ଆମେ କୂଟନୈତିକ ପ୍ରୟାସ ସହିତ ସୀମା ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରୁଛି । ପହଲଗାମ ହମଲା କେବଳ ଏକ ବାହାନା, ଭାରତ ରାଡାରରେ ସିନ୍ଧୁ ଜଳ ଚୁକ୍ତି ରହିଛି । ପାକିସ୍ତାନ ସେନା ଯେବେ ଚାହିଁବ ରେଲୱେର ଉପଯୋଗ କରିପାରିବ । ପାକିସ୍ତାନ ରେଲୱେ ସେନାକୁ ସହଯୋଗ କରିବାକୁ ପ୍ରସ୍ତୁତ ରହିଛି ।”
କହି ରଖୁଛୁ କି, ଗତକାଲି ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଭାରତକୁ ଧମକ ଦେଇଥିଲେ । ସେ କହିଥିଲେ, ”ପାଣି ରୋକିଲେ ରକ୍ତ ବୋହିବ । ସିନ୍ଧୁ ଆମର, ଆମର ହୋଇ ରହିବ । ପ୍ରଧାନମନ୍ତ୍ରୀ ମୋଦି ଦାବି କରୁଛନ୍ତି କି ଭାରତ ହଜାର ହଜାର ବର୍ଷ ପୁରୁଣା ସିନ୍ଧୁ ସଭ୍ୟତାର ଉତ୍ତରାଧିକାରୀ । କିନ୍ତୁ ଭାରତ ସରକାର ପାକିସ୍ତାନ ପାଣି ଉପରେ ନଜର ପକାଇଛି ।” ଯାହାର ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ସେ କହିଥିଲେ, ”ଭୁଟ୍ଟୋ ଜଣେ ମୂର୍ଖ । ପାଣି ନ ମିଳିଲେ ସେମାନେ ଏମିତି ଚିତ୍କାର କରି ଚାଲିବେ । ପହଲଗାମରେ ଯାହା ଘଟିଲା ତାହା ସାଧାରଣ ଘଟଣା ନଥିଲା ଆତଙ୍କବାଦୀ ଆକ୍ରମଣ ଥିଲା । ୩୦ ବର୍ଷ ହେଲା ସେମାନେ ଏମିତି କରି ଆସୁଛନ୍ତି । ଆଗ ସେମାନେ ନିଜ ରକ୍ତ ବୁହାନ୍ତୁ ।”