ଆଜି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ: ବହାରି ପାରେ ଆୟୁଷ୍ମାନ ସମସ୍ୟାର ସମାଧାନ


ଓଡ଼ିଶା ଡଟ୍ ନ୍ୟୁଜ୍: ଆୟୁଷ୍ମାନ କାର୍ଡ ସମସ୍ୟାର ସମାଧାନ ପାଇଁ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଘରୋଇ ହସ୍ପିଟାଲ ଓ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ । ଆୟୁଷ୍ମାନ କାର୍ଡକୁ ନେଇ ରୋଗୀ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା ହେବ ।

ବିଏସକେୱାଇ ବଦଳରେ ସରକାର ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ କଲେ । ହେଲେ ବୈଷୟିକ ତ୍ରୁଟି ଯୋଗୁଁ ଏବେ ରୋଗୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି । ଯାହାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ରୋଗୀଙ୍କର କୌଣସି ସମସ୍ୟା ନାହିଁ, କିନ୍ତୁ ହସ୍ପିଟାଲ ପକ୍ଷରୁ ବୈଷୟିକ ସମସ୍ୟା ରହୁଛି ।

ସୂଚନାଯୋଗ୍ୟ, ଆୟୁଷ୍ମାନ ଯୋଜନାରେ ଚିକିତ୍ସା କରିଥିବା ଡାକ୍ତରଙ୍କୁ ରୋଗୀଙ୍କ ସହ ଫଟୋ ଉଠାଇବାକୁ ପଡ଼ିବ । ହେଲେ ଡାକ୍ତର ଫଟୋ ଉଠାଇବାକୁ ଚାହୁଁନାହାନ୍ତି । ଓଟିପି ଟାଇମ ଆଉଟକୁ ନେଇ ମଧ୍ୟ ସମସ୍ୟା ରହୁଛି । ପଞ୍ଜୀକରଣ ଓ ପୁନଃ ପଞ୍ଜୀକରଣରେ ସମସ୍ୟା ହେଉଛି । କାଗଜପତ୍ର ଓ ବିଲ୍‌ ପଠାଇବାରେ ମଧ୍ୟ ବିଳମ୍ବ ହେଉଛି ।  ସରକାର କହୁଛନ୍ତି ଆୟୁଷ୍ମାନ ପାଇଁ ଉନ୍ନତ ସଫ୍ଟୱେୟାର ବ୍ୟବସ୍ଥା ହୋଇଛି । କିନ୍ତୁ ୧୧ ତାରିଖ ଯୋଜନାର ଆରମ୍ଭ ପରେ ଅନେକ ରୋଗୀ, ସଫ୍ଟୱେୟାର ସମସ୍ୟା ଯୋଗୁଁ ହଇରାଣରେ ପଡୁଛନ୍ତି । ଆୟୁଷ୍ମାନକୁ ନେଇ ଦେଖାଦେଉଥିବା ଏସବୁ ସମସ୍ୟାର ସମାଧାନ ଶୀଘ୍ର ହେବ ବୋଲି ରୋଗୀ ଓ ଘରୋଇ ଡାକ୍ତରଖାନା ଗୁଡିକ ଆଶା ରଖିଛନ୍ତି ।