ଓଡ଼ିଶା ଡଟ୍ ନ୍ୟୁଜ୍: ସ୍କୁଲ ଛୁଟି ଅଛି । ନହେଲେ ପିଲାଙ୍କ ସହ ଘଟିଥାନ୍ତି ଅଘଟଣ । କାରଣ ସ୍କୁଲରୁ ବାହାରିଲା ୨୦ ଫୁଟ ଲମ୍ବର ଅହିରାଜ । ଯାହାର ବିଷ ଏକା ଥରେ ୫ରୁ ୬ ଜଣ ମଣିଷଙ୍କ ଜୀବନ ନେବାକୁ ସକ୍ଷମ । ଯଦି ସ୍କୁଲ ଖୋଲା ଥାନ୍ତା ଓ କୌଣସି ଛାତ୍ରଛାତ୍ରୀ ଅହିରାଜ ହୁବୁଡ଼ରେ ପଡ଼ି ଯାଇଥାନ୍ତେ, ଭାବନ୍ତୁତ ସ୍ଥିତି କ’ଣ ହୋଇଥାନ୍ତି । ସ୍ବଭାଗ୍ୟକୁ ସ୍କୁଲ ଆଗୁଆ ଖରା ଛୁଟି ହୋଇଥିବାରୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।
ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଛନ୍ତି । କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲୁଥିବା ବେଳେ ଧରାପଡି ନଥିଲା । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହକୁ ସାପ ପଶି ଆସିଥିଲା । ସ୍କୁଲ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରି ଦେଇଥିଲେ । ଫଳରେ ସାପ ବାହାରକୁ ବାହାରି ପାରି ନଥିଲା ।
ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ଦୁଇ ଜଣ ସ୍ନେକ୍ ହେଲପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି । ସାପଟି ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ଅଧ ଘଣ୍ଟା ପରେ ସାପ ଧରାପଡ଼ିଥିଲା ।