ପହଲଗାମ ଆକ୍ରମଣ: ଆମେରିକାରୁ ଭାରତକୁ ଆସିଲା ଫୋନ୍ କଲ୍


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ଭାରତର ବିବାଦ ଚରମରେ ପହଞ୍ଚିଛି । ସାରା ଦେଶରେ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଲୋକେ ଦାବି କରୁଛନ୍ତି । ଆଉ ଏହାରି ଭିତରେ ଭାରତ ନିଜ ବନ୍ଧୁ ରାଷ୍ଟ୍ରଙ୍କ ସହ ଯୋଗାଯୋଗ କରି ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ଯୁଦ୍ଧ ପାଇଁ ଜୋରସୋରରେ ପ୍ରସ୍ତୁତି ଚଲାଉଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାଙ୍କ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି । କେବେ, କେଉଁଠି ଓ କାହାକୁ ସେନା ଟାର୍ଗେଟ କରିବ ? ପାକିସ୍ତାନ ସହ ଯୁଦ୍ଧ ନା କେବଳ ଆତଙ୍କବାଦୀ ନିପାତ ତାହା ଭାରତୀୟ ସେନା ସ୍ଥିର କରିବ । ଏହାରି ଭିତରେ ଭାରତକୁ ବିଭିନ୍ନ ଦେଶରୁ ଫୋନ କଲ୍ ଆସିବାରେ ଲାଗିଛି । ଏହି କ୍ରମରେ ଆମେରିକାରୁ ଭାରତକୁ ଆସିଛି କଲ୍ ।

ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ । ପହଲଗାମ୍‌ ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୋବିଓ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । 

ଆତଙ୍କବାଦ ବିରୋଧ ଲଢେଇରେ ଆମେରିକା ଭାରତ ସହ ଥିବା କହିଛନ୍ତି ରୋବିଓ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ମଧ୍ୟ ଫୋନ୍ କରି କଥା ହୋଇଛନ୍ତି ଆମେରିକା ବୈଦେଶିକ ସଚିବ । କ୍ଷେତ୍ରୀୟ ସ୍ଥିତି ନେଇ ଆମେରିକାକୁ ଜଣାଇଛନ୍ତି ସେହବାଜ୍ ସରିଫ୍ । ଉତ୍ତେଜନାକୁ ଭାରତ ଉସକାଉଥିବା ସେ ଅଭିଯୋଗ କରିଛନ୍ତି । ଆତଙ୍କବାଦ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମାର୍କୋ ରୋବିଓ । ତଦନ୍ତରେ ସହଯୋଗ ପାଇଁ ସେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଛନ୍ତି । ଉତ୍ତେଜନା କମାଇବା ପାଇଁ ଦୁଇ ଦେଶକୁ ଅପିଲ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ ।