ଓଡ଼ିଶା ଡଟ୍ ନ୍ୟୁଜ୍: ତାଳଚେର ଦେଉଳବେଡା ଅଞ୍ଚଳରେ ଡକାୟତି । ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ଗତକାଲି ରାତିରେ ଘଟିଛି । ଅଭିଯୋଗ ପରେ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘରେ କେହି ନଥିବାର ସୁଯୋଗ ନେଇ ପଶିଥିଲେ ଚୋର । ହେଲେ ଚୋରି ସମୟରେ ଘରର ମାଲିକ ଅଶୋକ ଦାସ ପହଞ୍ଚି ଯାଇଥିଲେ । ଦୁଇ ଜଣ ଲୁଟେରାଙ୍କୁ ଦେଖି ସେ ପାଟି କରିଥିଲେ । ଏହି ସମୟରେ ଲୁଟେରାମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟି ନେଇଥିଲେ ।
ସୂଚନାଯୋଗ୍ୟ, ଅଶୋକଙ୍କ ପରିବାର ଗତକାଲି ଏକ ନିର୍ବନ୍ଧରେ ଯୋଗ ଦେବାକୁ ଘର ତାଲା ପକାଇ ଯାଇଥିଲେ । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଅଶୋକ ଓ ତାଙ୍କ ଭଣଜା ଘରକୁ ଫେରି ଦେଖନ୍ତି ତ ଘରର କବାଟ ଖୋଲା ଅଛି । ଭିତରକୁ ଯିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଚୋରି କରୁଥିବା ଦେଖି ପାଟି କରିଥିଲେ । ତେବେ ଦୁର୍ବୃତ୍ତମାନେ ହଠାତ ଏକ ଭୁଜାଲିରେ ଅଶୋକଙ୍କ ଭଣଜା ଅସିତ ଧଳଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଭୟରେ ଅଶୋକ ଓ ତାଙ୍କ ଭଣଜା କିଛି କରିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଘରର ଆଲମିରା ଭାଙ୍ଗି ପ୍ରାୟ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ । ପରେ ଅଶୋକ ପୋଲିସକୁ ଜଣାଇବା ସହ ଭଣଜାଙ୍କୁ ଡାକ୍ତରଖାନାରେ ଚିକିତ୍ସାକୁ ନେଇଥିଲେ ।
ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି । ଘର ପଛପଟୁ ପୋଲିସ ଏକ ବାଇକ ଜବତ କରିବା ସହ ଘରର ସିସିଟିଭି ହାର୍ଡ ଡିସ୍କ ଓ ଚୋରି ହୋଇଥିବା କିଛି ସୁନା ଓ ରୂପା ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଜବତ ବାଇକଟି ଲୁଟେରାମାନେ ଛାଡି ପଳାଇଥିବା ଅନୁମାନ କରାଯାଉଛି ।