ପହଲଗାମ୍ ଆକ୍ରମଣ ପରେ ଏବେ ଭୟରେ ଥରୁଛି ପାକିସ୍ତାନ । ସ୍ଥିତି ଏମିତି ହେଲାଣି ଯେ, ରାତି ଅଧରେ ପାକିସ୍ତାନ ନିଜ ଇତିହାସ ବଦଳେଇବାକୁ ବି ପଛାଇନି । ଖାସ୍ କରି ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନକୁ, ଏବେ ଘାରିଛି ଏୟାରଷ୍ଟ୍ରାଇକ୍ ଭୟ । ପ୍ରଥମେ ସିନ୍ଧୁ ଜଳଚୁକ୍ତି ବନ୍ଦ କରି ଜଳ ପ୍ରହାର, ଆଉ ଏୟାରସ୍ପେସ୍ ବନ୍ଦ କରି ବାୟୁ ପ୍ରହାର କରିସାରିଛନ୍ତି ଭାରତ ସରକାର ।
ଆଉ ଏବେ ପାକିସ୍ତାନର ଗୋଟିଏ ମାତ୍ର ଭୟ, କେବେ ବି ତା ଉପରେ ହେଇପାରେ ଜୋରଦାର ଆଟାକ୍ ।
ପାକିସ୍ତାନର ଏ ଭୟ ଭିତରେ, ସେ ତା ଇତିହାସ ବି ସେ ନିଜେ ବଦଳାଇଦେଇଛି । ଯାହା କେବେ ହେଇନଥିଲା, ତାହା ଏବେ ହେଇଛି । ପ୍ରଥମ ଥର ପାଇଁ ଆଇଏସଆଇ ଚିଫ୍ ଥିବା ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମଙ୍କୁ ଏନଏସଏ ନିଯୁକ୍ତ କରିଛି ପାକିସ୍ତାନ । ହେଲେ ନୂଆ କଥା ହେଲା, ଦେଶର ଏତେ ବଡ଼ ପୋଷ୍ଟକୁ ରାତି ଅଧରେ ଅସୀମଙ୍କ ହାତକୁ ଟେକି ଦେଇଛି ପାକିସ୍ତାନ ।
ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଆଇଏସଆଇ ଚିଫକୁ ଏନଏସଏ ବା ଦେଶର ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ବୁଧବାର ଅଧ ରାତିରେ ପାକିସ୍ତାନ ଏହି ନୋଟିଫିକେସନ୍ ଜାରି କରିବା ସହିତ ମହମ୍ମଦ ଅସୀମଙ୍କୁ ଏହି ଦାୟିତ୍ୱ ଦେଇଛି । ବର୍ତ୍ତମାନ ସେ ଆଇଏସଆଇ ଚିଫ୍ ରହିବା ସହିତ ଅତିରିକ୍ତ ଭାବେ ଦେଶର ସୁରକ୍ଷା ପରାମର୍ଶଦାତା ରହିବେ । ହେଲେ ଏହା ଭିତରେ ବି ପାକିସ୍ତାନର ଭୟ କମ୍ ହେଇନି । କୌଣସି ବି ମୁହୂର୍ତ୍ତରେ ତା ଉପରେ ଆକ୍ରମଣ ହେବାର ଭୟ ଏବେ ବି ତାକୁ ଖାଇ ଚାଲିଛି ।
ଏହା ପୂର୍ବରୁ ମଧ୍ୟ ଭାରତକୁ ନେଇ ପାକିସ୍ତାନ କେମିତି ଛାନିଆ ଥିଲା, ସେ ଖବର ସାମ୍ନାକୁ ଆସିଥିଲା । ରାତି ଅଧରେ ପ୍ରେସମିଟ୍ ଡାକି ଭାରତ କୌଣସି ବି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି କହିଥିଲେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ । ଭାରତ ୨୪ରୁ ୩୬ ଘଣ୍ଟା ଭିତରେ ଆକ୍ରମଣ କରିବା ନେଇ ସେ ଦାବି କରିଥିଲେ । ଏହାସହ ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ସରିଫ୍ ଭାରତକୁ ନାଲିଆଖି ଦେଖାଇଥିଲେ । ପାକିସ୍ତାନ ସତର୍କ ଆଉ ସଜାଗ ଅଛି, ତେଣୁ ଯଦି ଭାରତ ଆକ୍ରମଣ କରେ ତେବେ ପାକିସ୍ତାନ ବି ଏହାର ଜବାବ ଦେବ ବୋଲି ସେ କହିଥିଲେ । ହେଲେ ଏତେ ସବୁ ପରେ ବି, ଭାରତ ଭୟରେ ପାକିସ୍ତାନ ନିଜର ଇତିହାସକୁ ବଦଳେଇ ରାତି ଅଧରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନିଯୁକ୍ତ କରିବା ଚର୍ଚ୍ଚା ସୃଷ୍ଟି କରିଛି ।