ଓଡ଼ିଶା ଡଟ୍ ନ୍ୟୁଜ୍: କିଟ୍ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ । ଭୁବନେଶ୍ବର ଏମ୍ସରେ ପରିବାର ଲୋକଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ । ଏପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଚନ୍ତି ଜାତୀୟ ମାନବାଧିକାର କମିଶନ । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍ ଜାରି କରାଯାଇଛି । ୩ ମାସ ମଧ୍ୟରେ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉଭୟ ମୃତ ଛାତ୍ରୀଙ୍କ ମାନବଧିକାର ଉଲ୍ଲଂଘନ କରିଛି, ତେଣୁ ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ୯ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କରି ଘଟଣାର ସଠିକ୍ ତଦନ୍ତ ଦାବି କରିଛନ୍ତି ଜଣେ ଆବେଦନକାରୀ । ଶିକ୍ଷାନୁଷ୍ଠାନର ଦୋଷ ତ୍ରୁଟି ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଟିସନର ଅନୁରୋଧ କରିଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛି ୟୁଜିସି । ପୂରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ଫେବ୍ରୁଆରୀ ୧୬ ତାରିଖ ଓ ମେ’ ପହିଲାରେ ଦୁଇ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇ ୟୁଜିସି ପକ୍ଷରୁ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । କମିଟିର ଅଧ୍ୟକ୍ଷ ଅଛନ୍ତି ଇଗ୍ନୋର ପୂର୍ବତନ ଭାଇସ ଚାନସେଲର ପ୍ରଫେସର ନାଗେଶ୍ୱର ରାଓ । ୟୁଜିସିର ଯୁଗ୍ମ ସଚିବ ଡକ୍ଟର ସୁନୀତି ସିୱାଚ ଫ୍ୟାକ୍ଟ ଫାଇଣ୍ଡିଂ ଟିମର କୋଅର୍ଡିନେଟର ଅଛନ୍ତି । ସେହିପରି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନର ଭାଇସ ଚାନସେଲର ଶଶୀକଳା ୱାଞ୍ଜରି, ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ବିହାର ଗୟାର ପୂର୍ବତନ ଚାନସେଲର ପ୍ରଫେସର ଏଚଏସସି ରାଠୋର ସଦସ୍ୟ ରହିଛନ୍ତି । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟାର ପାରିପାର୍ଶ୍ୱିକ ସ୍ଥିତି, ଆତ୍ମହତ୍ୟା ପଛର କାରଣ, ବିଶ୍ୱବିଦ୍ୟାଳୟର ନୀତି, ଏକାଡେମିକ ପ୍ରେସର, ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ, କାଉନସେଲିଂ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଯୋଗ ଆଦି ଦିଗରେ ତଦନ୍ତ କରିବେ ।