ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ ୨୦୨୫ର ୫୧ତମ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ କେବଳ ସ୍କୋରବୋର୍ଡରେ ନୁହେଁ ବରଂ ପଡ଼ିଆରେ ମଧ୍ୟ ଜୋରଦାର ହୋଇଥିଲା।
ଏହି ମ୍ୟାଚ୍ରେ ଗୁଜରାଟ ୩୮ ରନ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲା। ଏହି ବିଜୟ ସହିତ ଦଳ ପ୍ଲେଅଫ୍ ଦୌଡ଼ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ପାଇଛି। କିନ୍ତୁ ଗୁଜରାଟ ଅଧିନାୟକ ଶୁଭମନ ଗିଲ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ଯାହାପରେ ଗିଲଙ୍କ ବନ୍ଧୁ ଅଭିଷେକ ଶର୍ମା ତାଙ୍କୁ ଶାନ୍ତ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଅମ୍ପାୟାରଙ୍କ ସହ ଶୁଭମନ ଗିଲଙ୍କ ଯୁକ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ତେବେ ଗିଲଙ୍କ ବିରୁଦ୍ଧରେ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ ଆସିପାରେ।ଶୁଭମନ ଗିଲ ୩୮ ବଲରେ ୭୬ ରନ୍ କରିଥିଲେ। ତାଙ୍କୁ ଦୁଇଥର ମ୍ୟାଚ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା। ଉଭୟ ଥର ସେ ଆଇପିଏଲ ଆଚରଣ ସଂହିତାର ଧାରା ୨.୮ ଉଲ୍ଲଂଘନ କରିଥିଲେ। ତେବେ ପ୍ରଥମ ଘଟଣାଟି ଗୁଜରାଟର ଇନିଂସର ୧୩ତମ ଓଭର ଶେଷରେ ଘଟିଥିଲା। ଗିଲଙ୍କୁ ବିବାଦୀୟ ଭାବରେ ରନ ଆଉଟ୍ ଦିଆଯାଇଥିଲା। ସେ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ତେଣୁ ସେ ଡଗ୍ ଆଉଟ୍ ଯିବା ସମୟରେ ଚତୁର୍ଥ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖାଯାଇଥିଲା।