ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ ମେଡିକାଲ କଲେଜ


ଓଡ଼ିଶା ଡଟ୍ ନ୍ୟୁଜ୍: କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ଼ ଘୋଷଣା । ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ମେଡିକାଲ କଲେ । ଏହାସହ ୫ ହଜାର ଡାକ୍ତର ପଦବୀ ପୂରଣ କରାଯିବ । ଏହାସହ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାରର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଖଣିଜ ଜିଲ୍ଲା ଗୁଡିକର ମେଡିକାଲ କଲେଜରେ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା ରହିବ । କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ ହେବ । ସରକାର ଗଠନ କରିବାର ଅଳ୍ପଦିନ ମଧ୍ୟରେ ସବୁ ଖଣିଜ ଜିଲ୍ଲା ଗୁଡିକର ମେଡିକାଲ କଲେଜ ଗୁଡିକରେ ଟ୍ରମା କେୟାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଜି କେନ୍ଦୁଝରରେ ଏହା ସ୍ଥାପନ ହୋଇଛି, ଖୁବଶୀଘ୍ର ଅନ୍ୟ ସ୍ଥାନରେ ମଧ୍ୟ ଟ୍ରମା କେୟାର ସ୍ଥାପନ କରାଯିବ । ନୂଆ ସରକାର ଆସିବା ପରେ ୪ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀ ପଦବୀ ପୂରଣ କରାଯାଇଛି । ଆଗାମୀ ଦିନରେ ୫ ହଜାର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଆଉ ୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ । ସେଗୁଡିକ ହେଲା ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁର । ଧୀରେ ଧୀରେ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେବେ । କେନ୍ଦୁଝରରେ ୧୧୫୪ କୋଟି ଟଙ୍କା ବ୍ୟୟରେ ୩୪୦ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।