ସମ୍ବଲପୁର: ସାଧାରଣ ନିର୍ବାଚନ (୨୦୨୪) ପରେ ଲୋକଙ୍କ ଆଶା ରହିଥିଲା, ଲୋକଙ୍କ ସରକାର ଲୋକଙ୍କ ହିତରେ ଆସିବ। ଡବଲ ଇଂଜିନ ସରକାର ଡବଲ କାମ ଦେଖାଇ ଓଡ଼ିଶାର ବିକାଶ ରଥକୁ ଆଗେଇନେବ। ହେଲେ ସମ୍ବଲପୁର ରେ ଦେଖିବାକୁ ମିଳୁଛି ଓଲଟା ପ୍ରତିଫଳନ। ନେତା ବଦଳରେ ଅଫିସର ରାଜ ମୋହ ବଳୀ ପକାଇଦେଇଛି ପ୍ରଗତୀର ଧାରା।
ସମ୍ବଲପୁର ରେ ଉନ୍ନୟନ କାମ ପୂରା ଠପ ହୋଇପଡିଛି । ଜିଲ୍ଲାରେ ମନ୍ତ୍ରୀ, ବିଧାୟକ ଅଛନ୍ତି। ହେଲେ ସେମାନେ ବିକାଶ କାମ ବଦଳରେ ଆତ୍ମ ଘୋଷିତ ପ୍ରଚାରରେ ମାରିଛନ୍ତି। ତେଣୁ ଜାତୀୟ ରାଜପଥ ବିଭାଗ ହେଉ କି ଆଉ କିଛି, ସବୁ ଯେମିତି ଅଚଳ ହୋଇ ପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।
କଂଗ୍ରେସ ଜିଲ୍ଲା ସଭାପତି ଜୟ ଶଙ୍କର ମିଶ୍ର ଅଭିଯୋଗ କରି କହିଛନ୍ତି ଯେ, ସହରର ପ୍ରମୁଖ ୨ ଛକକୁ ଯାଇଥିବା ଜାତୀୟ ରାଜପଥର ଉନ୍ନତିକରଣ କରିବା ପାଇଁ ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ, ଡ୍ରେନ ନିର୍ମାଣ କରିବା ପାଇଁ ଘୋଷଣା ହୋଇଥିଲା। ସେଥି ମଧ୍ୟରେ ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନକ୍ସାପାଲିରୁ ଧନୁପାଲି ଛକ ଓ ଧନୁପାଲି ଛକରୁ ସିନ୍ଦୁରପଙ୍କ ପ୍ରକଳ୍ପ ରହିଥିଲା। ନିର୍ବାଚନ ସମୟରେ ଧନୁପାଲି ଓ ସିନ୍ଦୁରପଙ୍କ ରାସ୍ତାକୁ ଅନୁମୋଦନ କରାଯାଇଥିଲା। ନିର୍ମାଣାଧୀନ ରାସ୍ତା ଏକାବେଳେ ସରିବ ଓ ଏହି ଦୁଇ ରାସ୍ତା କାମର ଏକକାଳୀନ ଉନ୍ନତିକରଣ ଓ ବିଦ୍ୟୁତକରଣ କାମ ପାଇଁ ଅନୁମୋଦନ ମିଳିବା ଦ୍ବାରା ସମ୍ବଲପୁର ସମେତ ଜିଲ୍ଲାରେ ସଡ଼କ ଭିଭିଭୂମି ଅଧିକ ମଜବୁତ ହେବ ବୋଲି ଆଶା ରହିଥିଲା। ସୁବିଧା ତ୍ବରାନ୍ବିତ ହେବ ଓ ବ୍ୟବସାୟ ବଢିବା ସହ ସ୍ଥାନୀୟ ଅର୍ଥନୀତି ମଜବୁତ ହେବ ଏଭଳି ବିଶ୍ୱାସ ଜମାଟ ବାନ୍ଧଥିଲା। ଏପରିକି ଏଥିରେ ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଥିଲା। ଜନସାଧାରଣଙ୍କ ଯାତାୟତ ସୁବିଧାକୁ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ଏବେ ରାସ୍ତା ଉପରେ କେବଳ ପିଚୁ କରାଯାଇଛି। ଡ୍ରେନ କାମ ହୋଇନଥିବା ବେଳେ ଆଲୋକୀକରଣ କାମ ଶେଷ ହୋଇନାହିଁ। ଟେଣ୍ଡର ଆହ୍ବାନ ହେବା ପରେ ଏବେ ବର୍ଷ ଡେଇଁ ୧୪ ମାସ ଅତିକ୍ରାନ୍ତ କରିସାରିଛି। ହେଲେ କାମ ପାଇଥିବା ଠିକାସଂସ୍ଥା ର ହୁଗୁଳା ସେବା ଯୋଗୁଁ ଠିକ ସମୟରେ କାମ ସାରିପାରିଲାନି।ଅନ୍ୟପଟେ କାମ ସମ୍ପୂର୍ଣ୍ଣ ନକରି ବିଲ ଉଠାଇ ନେଇଥିବା ମଧ୍ଯ ଶୁଣିବାକୁ ମିଳୁଛି। ଟେଣ୍ଡର ଠାରୁ ଅଧିକ ଟଙ୍କା ମଧ୍ୟ ଠିକାସଂସ୍ଥାକୁ ଦେବାକୁ ମସୁଧା ଚାଲିଛି।ଏ ସମ୍ପର୍କରେ ଏଭଳି ବିଶ୍ଵସ୍ଥ ସୂତ୍ର ରୁ ଖବର ଆସୁଥିବା ବେଳେ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଅଇଁଠାପାଲି ଫ୍ଲାଏ ଓଭର କାମରେ ଘୋର ଦୁର୍ନୀତି ହୋଇଥିବା ବିଷୟ ଆଲୋଚନା ହେଉଛି। ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏହି କାମକୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୨୩ ନଭେମ୍ବର ୬ ତାରିଖରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖ୍ ଏ ସମ୍ପର୍କରେ ଅବଗତ କରିଥିଲେ। ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ନକ୍ସାପାଲିରୁ ଧନୁପାଲି ଛକ ଓ ଧନୁପାଲି ଛକରୁ ସିନ୍ଦୁରପଙ୍କ ବାଇପାସ ରୋଡର ନିର୍ମାଣ କାମ ଜାରି ରହିଛି। ଲୋକଙ୍କ ଯାତାୟତ ସୁବିଧା ଓ କଲ୍ୟାଣ ପାଇଁ ଏହି ରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣର ଆବଶ୍ୟକତା ଥିବା କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ। ଫଳରେ ଏହି ପ୍ରଗତି ର ବାଟ ଫିଟିଛି।କଂଗ୍ରେସ ର ଏହି ଅଭିଯୋଗ ନେଇ ଏନଏଚଏଆଇ ପିଡି ପ୍ରେମ ସାହୁଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ। ତେବେ ଏହି କାମ ଉପରେ ରାଜନୈତିକ ହସ୍ତକ୍ଷେପ ହେଲେ ଯୋଜନା ସୁଗମ ହୋଇପାରିବ ବୋଲି କେତେକ ବୁଦ୍ଧିଜୀବି ନିଜର ମତ ରଖିଛନ୍ତି।
ଏନଏଚଏଆଇ ଅବହେଳା, ରାସ୍ତା ଓ ଡ୍ରେନ କାମରେ ଢିଲା:ବର୍ଷ ବିତିବା ପରେ ବି ସରୁନି କାମ
