ଚାଇନା ମାଲ ପାକିସ୍ତାନକୁ ଧ୍ବଂସ କରି ଦେଲା: ଧୋକା ଦେଇ ଦେଲେ HQ-9 ଓ JF-17


ଓଡ଼ିଶା ଡଟ୍ ନ୍ୟୁଜ୍: ଆମ ଦେଶରେ ଏକ ଲୋକ କଥା ଅଛି, ‘ଚାଇନା ମାଲ ଦରିଆ ମେଁ ଡାଲ’ । ଅର୍ଥାତ ଚୀନ ମାଲକୁ ଯଦି ଭରଷା କରିବ ତେବେ ମରିବ । ଆଉ ପାକିସ୍ତାନ ତ ଚୀନ ଅସ୍ତ୍ରଶସ୍ତ୍ରକୁ ନେଇ ନିଜ ଦେଶର ସୁରକ୍ଷାର ଡିଣ୍ଡିମ ପିଟୁଥିଲା । ହେଲେ ଚୀନ ମାଲ କେତେ ଭରସାଯୋଗ୍ୟ ତାହା ଗତ ଦୁଇ ଦିନର ଭାରତ ସହ ମୁହାଁମୁହିଁ ସ୍ଥିତିରୁ ସ୍ପଷ୍ଟ ହୋଇଯାଇଛି । ଚୀନର ଏୟାର ଡିଫେନ୍ସ ସିଷ୍ଟମ ଏଚକ୍ୟୁ-୯ ଏବଂ ଜେଏଡ଼-୧୭ ଫାଇଟର ଜେଟ୍ ପାକିସ୍ତାନ ସେନାର ବଳ ହୋଇଥିବା ବେଳେ ଭାରତ ଏମିତି ଧୋଇଛି ଯେ, ପାକିସ୍ତାନ କଥା ଛାଡ଼ନ୍ତୁ, ନିଜେ ଚୀନ ମୁଣ୍ଡରେ ହାତ ଦେଇ ବସିଛି ।

ଗୁରୁବାର ସକାଳେ ଭାରତୀୟ ସେନା ଲାହୋରରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ଏଚକ୍ୟୁ-୯କୁ ଟାର୍ଗେଟ କରି ଧ୍ୱଂସ କରିଦେଇଛି । ଭାରତର ସରକାର ତରଫରୁ କୁହାଯାଇଛି, ପାଲଟା ଆକ୍ରମଣ ଆତଙ୍କୀମାନଙ୍କୁ ସାବାଡ୍‌ କରିବା ପାଇଁ କରାଯାଇଛି । ଭାରତ ଡ୍ରୋନ ଆକ୍ରମଣରେ ନଷ୍ଟ ହୋଇଯାଇଥିବା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ମେଡ୍ ଇନ ଚାଇନ୍ ଥିଲା । 

ଏଚକ୍ୟୁ-୯ ଚୀନ ଦ୍ବାରା ତିଆରି ହୋଇଥିବା ଏୟାର ଆଟାକ ମିସାଇଲ ସିଷ୍ଟମ । ଯାହାକୁ ପାକିସ୍ତାନ ୨୦୨୧ରେ ନିଜ ସେନାରେ ସାମିଲ କରିଥିଲା । ଏହାର ରେଞ୍ଜ ୧୨୫ରୁ ୨୦୦ କି.ମି. ଯାଏଁ ରହିଛି । ଆଉ ଏହା ଏକାଥରେ ୧୦୦ ଲକ୍ଷ୍ୟକୁ ଟ୍ରାକ କରିପାରେ । ପାକିସ୍ତାନ ଏହି ସିଷ୍ଟମକୁ ଭାରତର S-400 ସହ ସମାନ ବୋଲି କହୁଥିଲା । ହେଲେ ଟେକ୍ନିକ ସ୍ତରରେ ପାକିସ୍ତାନର ଏହି ଡିଫେନ୍ସ ସିଷ୍ଟମ କୌଣସି କାମକୁ ନୁହେଁ । ଭାରତର S-400 ସିଷ୍ଟମ ୪୦୦ କିମି ଯାଏଁ ଲକ୍ଷ୍ୟ ଭେଦ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଯାଏ । ହେଲେ ଏଚକ୍ୟୁ ୯ କାମ କରିବାକୁ ଅଧଘଣ୍ଟାରୁ ଅଧିକ ସମୟ ନେଇଥାଏ । ଏହି ଆକ୍ରମଣ ପାକିସ୍ତାନକୁ ଚୀନ ଯୋଗାଉଥିବା ସୁରକ୍ଷା ପ୍ରଡକ୍ଟର ପୋଲ୍ ଖୋଲି ଦେଇଛି । ସେହିପରି ପାକିସ୍ତାନ ଚୀନ ପାଖରୁ JF-17 ଫାଇଟର ଜେଟ୍ କିଣି ନିଜ ବାୟୁସେନାରେ ସାମିଲ କରିଛି । ଏହା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଫାଇଟର ଜେଟ୍ ବୋଲି ଚୀନ ଡିଣ୍ଡିମ ପିଟିବା ସହ ଭୁଆଁ ବୁଲାଇ ବହୁ ରାଷ୍ଟ୍ରଙ୍କୁ ବିକ୍ରି କରିଛି । ହେଲେ ଅପରେସନ ସିନ୍ଦୂରରେ ଦୁଇ ଦିନରେ ଭାରତ ୪ଟି JF-17କୁ ଖସାଇ ଏହାର ପୋଲ ଖୋଲି ଦେଇଛି ।