ଭାରତ-ପାକ୍ ଉତ୍ତେଜନା: ସୁରକ୍ଷା ବଳୟରେ ପୁରୀ ଶ୍ରୀମନ୍ଦିର


ଓଡ଼ିଶା ଡଟ୍ ନ୍ୟୁଜ୍: ଭାରତର ସୀମାନ୍ତରେ ଗତକାଲି ପାକିସ୍ତାନ ଆକ୍ରମଣ କରିବାକୁ ଉଦ୍ୟମ କରିବା ପରେ ମୁହଁତୋଡ଼ ଜବାବ ପାଇଛି । ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି । ପ୍ରାୟ ୧୫୦ରୁ ‌ଊର୍ଦ୍ଧ୍ବ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି । ସାରା ରାତି ପୋଲିସ ପକ୍ଷରୁ ଜୋରଦାର ଚେକିଂ ଓ ବ୍ଲକିଂ କରାଯାଇଛି । ସହରର ବିଭିନ୍ନ ହୋଟେଲରେ ମଧ୍ୟ ଯାଞ୍ଚ କରାଯାଇଛି । ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରାଯାଉଛି ।

ଗତକାଲି ରାତି ଓ ଆଜି ସକାଳେ ମଧ୍ୟ ରକେଟ ଓ ମିଜାଇଲ ଦ୍ୱାରା ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ । ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ ରକେଟ ମାଡ଼ କରୁଛି । ଗତକାଲି ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରିଦିଆଯାଇଛି । ଅନ୍ୟପକ୍ଷରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି । ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରି ଦେଇଛି । ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ ।