Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କାଉଟ ଓ ଗାଇଡର ସଦସ୍ୟ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହକ ହୁଅନ୍ତୁ –ରାଜ୍ୟପାଳ

ଭୁବନେଶ୍ବର: ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡର ସଦସ୍ୟମାନେ ଏକ ଉତ୍ତମ ଭବିଷ୍ୟତର ମଶାଲ ବାହକ ହୁଅନ୍ତୁ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ଵାନ ଜଣାଇଛନ୍ତି। ଚଳିତ ମଇ ୯ତାରିଖ ଦିନ ରାଜ ଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡର ରାଜ୍ୟ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି।
ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଦେଶ ପାଇଁ ବର୍ତ୍ତମାନ ସ୍କାଉଟ ଓ ଗାଇଡର ପୂର୍ବ ଅପେକ୍ଷା ଅଧିକ ସମର୍ପଣ, ଶୃଙ୍ଖଳା ଏବଂ ମୂଲ୍ୟବୋଧର ଆବଶ୍ୟକ‌ତା ରହିଛି। ସେବା, ଆମ୍ ନିର୍ଭରଶୀଳତା ଏବଂ ନୈତିକ ସାଧୁତା ମାଧ୍ୟମରେ ଦାୟିତ୍ଵସଂପନ୍ନ ନାଗରିକ ତିଆରି କରିବାରେ ସ୍କାଉଟ ଓ ଗାଇଡ଼ ଆନ୍ଦୋଳନର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। “ରାଜ୍ୟ ପୁରସ୍କାର” ଆପଣଙ୍କ ଯାତ୍ରାର ଶେଷ ନୁହେଁ, ଏହା ଏକ ମାଇଲ୍‌ଫୁଟ ବୋଲି ରାଜ୍ୟପାଳ କହିବା ସହିତ ଯୁବ ସଦସ୍ୟମାନେ ସେମାନଙ୍କ ସମସ୍ତ କାର୍ଯ୍ୟରେ ଦୟା, ସଚ୍ଚୋଟତା ଏବଂ ନେତୃତ୍ବର ମୂଲ୍ୟବୋଧକୁ ଆଗକୁ ବଢ଼ାନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବରେ ରାଜ୍ୟପାଳ ସଂଗଠନର ସଫଳତା ଓ ରାଜ୍ୟର ଦୁର୍ଗମ ଅଂଚଳରେ ମଧ୍ୟ ଏହା ସକ୍ରିୟ ଉପସ୍ଥିତ ଜାହିର କରିଥିବାରୁ ଗର୍ବ ପ୍ରକାଶ କରିଥିଲେ । ଓଡିଶା ରାଜ୍ୟ ଶାଖା ଜାତୀୟସ୍ତରରେ ଅନେକ ଥର ପୁରସ୍କାର ହାସଲ କରିଥିବାରୁ ରାଜ୍ୟ ଶାଖାକୁ ପ୍ରଶଂସା କରିଥିଲେ। ଏତଦ୍‌ବ୍ୟତୀତ କରୁଣା, ପ୍ରକୃତି ପ୍ରତି ସମ୍ମାନ, ଦଳଗତ କାର୍ଯ୍ୟ ଏବଂ ସେବା ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ସ୍କାଉଟ୍ ମାଷ୍ଟର, ଗାଇଡ୍‌ର,ପ୍ରଶିକ୍ଷକ ଏବଂ ସ୍ୱେଚ୍ଛାସେବକଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ରାଜ୍ୟପାଳ ତାରିଫ୍ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ଫାଷ୍ଟ୍ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଉପସ୍ଥିତ ଥିଲେ।
ଏହି ସମାରୋହରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବକ୍ତବ୍ୟ ପ୍ରଦାନ କରି ଶୃଙ୍ଖଳା ସୃଷ୍ଟି ସହ ଆହ୍ବାନପୂର୍ଣ୍ଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଗୁରୁତ୍ବପୂର୍ଣ ଶିକ୍ଷା ଦେବାରେ ଭାରତ ସ୍କାଉଟ ଆଣ୍ଡ୍ ଗାଇଡର ଭୂମିକା ସଂପର୍କରେ ଅବତାରଣା କରିଥିଲେ I ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି ଶିକ୍ଷା ଓ ସଂସ୍କାର, ଦେଶ ପାଇଁ ସମର୍ପିତ ହୋଇ ସେବା ନିମନ୍ତେ ସ୍କାଉଟଏବଂ ଗାଇଡପ୍ରେରଣା ଯୋଗାଇଥାଏ ବୋଲି କହିଥିଲେ। ପ୍ରାରମ୍ଭରେ ଓଡିଶା ରାଜ୍ୟ ଭାରତ ସ୍କାଉଟୁ ଆଣ୍ଡ୍ ଗାଇଡ଼ୁର ରାଜ୍ୟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ରାଜ୍ୟ ଭାରତ ସ୍କାଉଟ ଆଣ୍ଡ୍ ଗାଇଡ୍ସ ସଦସ୍ୟମାନଙ୍କୁ ଆଠୋଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା। ରାଜ୍ୟପାଳ କୃତୀ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସଂଗଠନର ଭବିଷ୍ୟତ ପ୍ରୟାସର ସଫଳତା କାମନା କରିଥିଲେ । ଏତଦ୍‍ବ୍ୟତୀତ ଏହି ସମାରୋହରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ “ଉତ୍କଳ ଜ୍ୟୋତି” ସମ୍ମାନରେ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ