ଅନିଶ୍ଚିତ କାଳ ଯାଏ ନୁହେଁ, କେବଳ ସପ୍ତାହେ ସ୍ଥଗିତ ହୋଇଛି IPL; ଶୀଘ୍ର ଜାରି ହେବ ନୂଆ ସିଡ୍ୟୁଲ୍


ଆଇପିଏଲ୍ ୨୦୨୫ରେ ଫାଇନାଲ୍ ସମେତ ୧୬ ମ୍ୟାଚ୍ ବାକି ଅଛି । ଲିଗ୍ ପର୍ଯ୍ୟାୟରେ ୧୨ ମ୍ୟାଚ୍ ବଳକା ରହିଛି । ଏହାରି ଭିତରେ ଲିଗ୍କୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଖବର ଆସିଥିଲା । ରଦ୍ଦ ନୁହେଁ, ସ୍ଥଗିତ । ଅର୍ଥାତ୍ ଫାଇନାଲ୍ ସମେତ ସିଜିନର ଅନ୍ୟ ସବୁ ମ୍ୟାଚ୍ ମଧ୍ୟ ଖେଳାଯିବ ।

ମ୍ୟାଚ୍ କେବେ ଖେଳାଯିବ, ବର୍ତ୍ତମାନ ଏହା ସ୍ଥିର ହୋଇ ନାହିଁ । ଏହାରି ଭିତରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପଷ୍ଟ କରିଛନ୍ତି ଯେ ଟୁର୍ଣ୍ଣାମେଣ୍ଟକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନୁହେଁ, ବରଂ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ କରାଯାଇଛି । ତେବେ ଏହା ପ୍ରଥମ ଥର ହୋଇ ନାହିଁ, ଆଇପିଏଲ୍ର ଅନେକ ସିଜିନ୍ ଟୁର୍ଣ୍ଣାମେଣ୍ଟ ଅଧାରେ ସ୍ଥଗିତ ହୋଇଛି । ଏହା ପୂର୍ବରୁ ୨୦୨୧ରେ କରୋନା ମାହାମାରୀ ବେଳେ ବି ଏପରି ହୋଇଥିଲା ।

ବିସିସିଆଇ ଶୁକ୍ରବାର ଆଇପିଏଲ୍ ସ୍ଥଗିତ କରିବା ପାଇଁ ଘୋଷଣା କରିଥିଲା । ପ୍ରଥମେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଥିବା କଥା ସାମନାକୁ ଆସିଥିଲା । କିନ୍ତୁ ଏହାର କିଛି ଘଣ୍ଟା ପରେ ବିସିସିଆଇ ଉପାଧ୍ୟକ୍ଷ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ରାଜୀବ ଶୁକ୍ଲା କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ୍ ୨୦୨୫କୁ ଗୋଟିଏ ସପ୍ତାହ ପାଇଁ ସସ୍ପେଣ୍ଡ କରିଦିଆଯାଇଛି । ସମସ୍ତ ଷ୍ଟେକହୋଲ୍ଡର୍ସଙ୍କ ସହ ଚର୍ଚ୍ଚା କରିବା ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଖୁବଶୀଘ୍ର ନୂଆ ସିଡ୍ୟୁଲ୍ ଘୋଷଣା କରାଯିବ । ଭାରତୀୟ ସେନାକୁ ନେଇ ଆମେ ଗର୍ବିତ । ବିସିସିଆଇ ନିଜ ସୁରକ୍ଷା ବଳ ଓ ସରକାରଙ୍କ ଛିଡ଼ା ହୋଇଛି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି । ୫୮ ତମ ମ୍ୟାଚ୍ ମେ’ ୮ରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । କିନ୍ତୁ ଏହାକୁ ମଝିରେ ହିଁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏମିତି ଘଟିଥିଲା । ସେତେବେଳେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା । ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରେ ମ୍ୟାଚକୁ ଅଧାରୁ ବନ୍ଦ କରିଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ମେ ୬ ରାତିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା । ଏହାପରେ, ପାକିସ୍ତାନ ମେ ୭ ରାତିରେ ୧୫ଟି ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମେ ୮ ତାରିଖରେ, ପାକିସ୍ତାନ ପୁଣି ଥରେ ଡ୍ରୋନ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତ ସବୁ ଉଦ୍ୟମକୁ ପଣ୍ଡ କରିଥିଲା ।