ଛତିଶଗଡ଼ରୁ ନୂଆପଡ଼ାର ନବ ବିବାହିତ ଯୁବକଙ୍କୁ ହତ୍ୟା


ଓଡ଼ିଶା ଡଟ୍ ନ୍ୟୁଜ୍: ଛତିଶଗଡ଼ରେ ନବ ବିବାହିତ ଯୁବକଙ୍କୁ ହତ୍ୟା । ନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର-୧୧, ଶିବଶକ୍ତି ନଗରର ଜଣେ ନବ ବିବାହିତ ଯୁବକଙ୍କ ଛତିଶଗଡ଼ରେ ହତ୍ୟା କରାଯାଇଛି । ଯୁବକଙ୍କ ମୃତଦେହ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା କୋମାଖାନ ପୋଲିସ ଷ୍ଟେସନ ଅଞ୍ଚଳରୁ ମିଳିଛି । କସେକେରା–ଟୋଙ୍ଗୋପାନୀ ରାସ୍ତା କଡ଼ରୁ ମୃତଦେହ ମୁଁହ ଓ ହାତରେ ଟେପ୍‌ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି ।
ନୂଆପଡ଼ା ସଦର ଶିବ ଶକ୍ତିନଗରରେ ରହୁଥିବା ଶିକ୍ଷକ ମନବୋଧ ତ୍ରିପାଠୀଙ୍କ ଏକମାତ୍ର ପୁଅ ମାନସ ରଞ୍ଜନ ତ୍ରିପାଠୀ ଗତ ୮ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ସେ ଫାର୍ମାସିଷ୍ଟ କୋର୍ସ କରିଥିବାରୁ ଆଖପାଖ ଅଞ୍ଚଳରେ ବୁଲି ବୁଲି ରୋଗୀ ସେବା କରୁଥିଲେ । ନିଖୋଜ ହେବା ନେଇ ନୂଆପଡ଼ା ସଦର ପୋଲିସ ଷ୍ଟେସନରେ ପରିବାର ଲୋକ ଏତଲା ଦେଇଥିଲେ ।
୩୨ ବର୍ଷୀୟ ମାନସ ଗତ ମାସ ୨୩ ତାରିଖରେ ଛତିଶଗଡ଼ର ପିଥୋଡାରେ ବିବାହ କରିଥିଲେ । ଆଉ ଗତ ୯ ତାରିଖରେ ଛତିଶଗଡ଼ରୁ ତାଙ୍କ ମୃତଦେହ ମିଳିଥିଲା । ପିନ୍ଧିଥିବା ଟିସାର୍ଟ ଓ ହାତ ମୁଦିରୁ ମାନସଙ୍କ ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ମାନସଙ୍କୁ ଅନ୍ୟ କେଉଁ ସ୍ଥାନରେ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ଛତିଶଗଡ଼ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପରେ ନିଜ ଗାଁରେ ଅନ୍ତିମ ସଂସ୍କାର କରାଯାଇଛି । କୋମାଖାନ ଥାନାରେ ଏଫଆଇଆର ରୁଜୁ ହୋଇଛି । ଏହି ହତ୍ୟା ପଛରେ କ’ଣ କାରଣ ଓ କିଏ ହତ୍ୟାକାରୀ, ପୋଲିସ୍ ତଦନ୍ତ ଚଳାଇଛି ।