ସମ୍ବଲପୁର:ନିର୍ମାଣ କୁ ବିତିଗଲାଣି ଦୀର୍ଘ ୪ ବର୍ଷ।ହେଲେ ବିଭାଗୀୟ ଅବହେଳାରୁ ଏହା କାର୍ଯ୍ୟକ୍ଷମ ହେବା ବଦଳରେ ଭୁତ କୋଠରୀରେ ପରିଣତ ହୋଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ନବ ନିର୍ମିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଓ ଡାକ ବଙ୍ଗଳା ର ଏହା ହେଉଛି ବାସ୍ତବ ଚିତ୍ର।
ପୂର୍ତ୍ତ ବିଭାଗର ଅବହେଳା ଏବଂ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ ର ଦୀର୍ଘ ୪ ବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବାରୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ପ୍ରାପ୍ତ ସୂଚନା ଅନୁସାରେ ନାକଟିଦେଉଳ ବ୍ଲକ ପାଇଁ ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ଅଛନ୍ତି l ତେବେ ଏଠାରେ ବିଭାଗୀୟ କାର୍ଯ୍ୟାଳୟ ନ ଥିବାରୁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ରେଢ଼ାଖୋଲ ରେ ରହି ବିଭାଗୀୟ କାର୍ଯ୍ୟ କରିବା ସହ ନାକଟିଦେଉଳ କୁ ମଝିରେ ମଝିରେ ଆସି ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ପ୍ରକଳ୍ପ ଗୁଡିକ ପରିଦର୍ଶନ କରିବା ସହ ତଦାରଖ କରୁଛନ୍ତି l ତେଣୁ ପୂର୍ତ୍ତ ବିଭାଗ କାର୍ଯ୍ୟ ଜନିତ କୌଣସି ଅଭିଯୋଗ କିମ୍ବା କାମ ପାଇଁ ନାକଟିଦେଉଳ ଅଂଚଳର ଜନସାଧାରଣ ଖର୍ଚ୍ଚାନ୍ତ ହୋଇ ରେଢ଼ାଖୋଲ ଯାଉଥିବା ବେଳେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହତାଶ ହୋଇ ଫେରି ଆସିଥାନ୍ତି l ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ଅମଳରେ ନାକଟିଦେଉଳ ବ୍ଲକ ସଦର ଠାରେ ପୂର୍ତ୍ତ ବିଭାଗର ଏକ କାର୍ଯ୍ୟାଳୟ ସମେତ ଡାକ ବଙ୍ଗଳା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଗତ ୪ ବର୍ଷ ପୂର୍ବରୁ ନାକଟିଦେଉଳ ମହାବିଦ୍ୟାଳୟ ନିକଟରେ ପ୍ରାୟ ୯୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗର ନୂତନ କୋଠା ନିର୍ମିତ କରାଯାଇଛି l ତେବେ ଏହି ନୂତନ କାର୍ଯ୍ୟାଳୟ ସମେତ ଡାକ ବଙ୍ଗଳା କୁ କାର୍ଯ୍ୟକ୍ଷମ କରାଇବା ଦିଗରେ ବିଭାଗ ପକ୍ଷରୁ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ବିଭାଗ ସେହି ତତ୍ପରତା ନ ଦେଖାଇ ଖାମ ଖିଆଲି ମନୋଭାବ ନେଇ ଦିନ ଗଡ଼ାଇ ଚାଲିଛି l ଅପର ପକ୍ଷରେ ନାକଟିଦେଉଳ ଠାରେ କୌଣସି ସରକାରୀ ଡାକ ବଙ୍ଗଳା ନ ଥିବାରୁ ବିଭିନ୍ନ ସମୟରେ ସରକାରୀ ଅଧିକାରୀ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ବହୁ ସମୟରେ ହଇରାଣର ସମ୍ମୁଖୀନ ହେଉଛନ୍ତି l ନାକଟିଦେଉଳ ବ୍ଲକ କୁ ବହୁ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରୀ, ବିଧାୟକ ଏବଂ ପୁର୍ବତନ ମନ୍ତ୍ରୀ ମାନେ ଗସ୍ତ କରୁଛନ୍ତି l କିନ୍ତୁ ସରକାରୀ ବଙ୍ଗଳା ନ ଥିବାରୁ ଏଠାରେ ବିଶ୍ରାମ କରିବା ସହ ସାଧାରଣ ଜନତାଙ୍କ ସହିତ ଦଳୀୟ କର୍ମୀ ମାନଙ୍କ ସହିତ ଆଲୋଚନା କିମ୍ବା ମିଳା ମିଶା କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ।ଏଥି ପାଇଁ ଏହି ସୁବିଧାରୁ ବଞ୍ଚିତ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
ଅପର ପକ୍ଷରେ ଦୀର୍ଘ ୪ ବର୍ଷ ହେଲା ନାକଟିଦେଉଳ ଠାରେ ପୂର୍ତ୍ତ ବିଭାଗର କାର୍ଯ୍ୟାଳୟ କୋଠା ନିର୍ମାଣ ସରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନ ଥିବାରୁ ବର୍ତ୍ତମାନ ଏହା ଭୁତ କୋଠରୀରେ ପରିଣତ ହୋଇଛି l କାର୍ଯ୍ୟାଳୟ ପରିସର ବିଭିନ୍ନ ଗଛ ଲତାରେ ଭରି ରହିଥିବା ବେଳେ ବୁଲା ଗାଈ ଗୋରୁ ମାନଙ୍କର ଗୁହାଳ ପାଲଟିଛି l ବର୍ଷା ଦିନେ ଏହି କୋଠାର ଅବସ୍ଥା କହିଲେ ନ ସରେ।ସାପ, ବେଙ୍ଗ, ବୁଲା ଗାଈଗୋରୁ ଓ ବୁଲା କୁକୁର ମାନଙ୍କ ଆଶ୍ରୟ ସ୍ଥଳ ରେ ପରିଣତ ହୋଇଥାଏ। ଏପରିକି ଏହି ନବ ନିର୍ମିତ କୋଠାରେ ଗେଟ ମଧ୍ୟ ଲାଗିନାହିଁ।ତେବେ ପୂର୍ତ୍ତ ବିଭାଗର ଏହି ନବ ନିର୍ମିତ କାର୍ଯ୍ୟାଳୟ ଓ ଡାକ ବଙ୍ଗଳା କୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ବିଭିନ୍ନ ସମୟରେ ପୂର୍ତ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଏହାକୁ କାର୍ଯ୍ୟକ୍ଷମ କରାଇବା ବଦଳରେ ନାହିରେ ଜଡ଼ା ତେଲ ଲଗାଇ ଶୋଇ ରହିଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଏହା କାର୍ଯ୍ୟକ୍ଷମ ହେଲେ ଅଞ୍ଚଳ ର ଜନସାଧାରଣ ଉପକୃତ ହେବାକୁ ଥିବା ବେଳେ ମନ୍ତ୍ରୀ, ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ସରକାରୀ ଉଚ୍ଚ ଅଧିକାରୀ ମାନେ ମଧ୍ୟ ବିଶ୍ରାମ ନେଇ ପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l ବିଜେଡି ସରକାର ଅମଳରେ ହୋଇଥିବା ଏହି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିର୍ମାଣ ର ୪ ବର୍ଷ ବିତି ଯାଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଶାସନ କୁ ଏକ ବର୍ଷ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ନ ହେବା ଅଞ୍ଚଳ ବାସୀଙ୍କ ପାଇଁ ଏହା ଏକ ଉପହାସ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି l ଅପର ପକ୍ଷରେ ଯେଉଁ ଠାରେ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ସେଠାରେ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଉ ନ ଥିବା ବେଳେ କେତେକ ସ୍ଥାନରେ ପିଚୁ ଉପରେ ପିଚୁ ଢାଳି ରାସ୍ତା ନବୀ କରଣ କରାଯାଉଥିବା ଦେଖିବାକୁ ମିଳୁଛି l ଠିକାଦାର ପୋଷିବାକୁ ବିଭାଗ ପକ୍ଷରୁ ଏହି ଉପାୟ ଅବଲମ୍ବନ କରାଉଥିଲେ ମଧ୍ୟ ନାକଟିଦେଉଳ ଠାରେ ନିର୍ମିତ କାର୍ଯ୍ୟାଳୟ ଓ ଡାକ ବଙ୍ଗଳା କୁ କେଉଁ ପରିସ୍ଥିତିରେ କାର୍ଯ୍ୟକ୍ଷମ କରାଯାଉ ନାହିଁ ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଏ ସମ୍ପର୍କ ରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟଜିତ ସାମଲ ଙ୍କୁ ପଚରା ଯିବାରେ ନାକଟିଦେଉଳ ଠାରେ ଏହି କୋଠା ନିର୍ମାଣ ପାଇଁ ଯେଉଁ ସମୟରେ ଟେଣ୍ଡର ହୋଇଥିଲା ଟେଣ୍ଡର ପାଇଥିବା ସମ୍ପୃକ୍ତ ଠିକାଦାର ଠିକ ସମୟରେ କାର୍ଯ୍ୟ ନ କରି ବିଳମ୍ବ ରେ କାମ ଆରମ୍ଭ କରିଥିବା କହିଛନ୍ତି। ଫଳରେ ଏଥିରେ ଏଷ୍ଟିମେଣ୍ଟ ବାହାରେ ବ୍ୟୟ ଅଟକଳ ହୋଇଛି l ଏଥି ପାଇଁ ବିଭାଗକୁ ଅର୍ଥ ମଗାଯାଇଛି। ଏହି ଅର୍ଥ ଆସିଲେ ଏହାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଥିଲେ।
ଖତ ଖାଉଛି ପୂର୍ତ୍ତ ବିଭାଗର ନୂତନ କାର୍ଯ୍ୟାଳୟ: ଟପିଲାଣି ଏସ୍ଟିମେଷ୍ଟ ଖର୍ଚ୍ଚ, ବାହାରିଲାଣି ଦୁର୍ନୀତି ଗନ୍ଧ
