ଆତଙ୍କୀ ମସୁଦ୍ ଆଝାରକୁ ପାକିସ୍ତାନ ସରକାର ଦେବ ୧୪ କୋଟି


ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମସୁଦ୍ ଆଝାରକୁ ପାକିସ୍ତାନ ସରକାର ଦେବ ୧୪ କୋଟି । କିଛି ଏଭଳି ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନା, ଭାରତର ଅପରେସନ୍ ସିନ୍ଦୂରରେ ଆଖି ବୁଜିଥିବା ଆତଙ୍କବାଦୀଙ୍କ ପରିବାରକୁ ପାକିସ୍ତାନ ସରକାର ଏବେ ୧ କୋଟି ଲେଖାଏଁ ଦେବାକୁ ଘୋଷଣା କରିଛି ।

ଆଉ ଏମିତି ହେଲେ, ପାକିସ୍ତାନ ସରକାରଠୁ ପ୍ରାୟ ୧୪ କୋଟି ଟଙ୍କା ପାଇବ ଆତଙ୍କୀ ମସୁଦ୍ ଆଝାର ।

ଅପରେସନ୍ ସିନ୍ଦୂରରେ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରର ଘର ଉପରେ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ଯାହାକି ବାହାଓ୍ୱଲପୁରରେ ଥିଲା । ଏହି ଆକ୍ରମଣରେ ମସୁଦ୍ ସହ ଜଡ଼ିତ ୧୪ ଲୋକ ପ୍ରାଣ ହରାଇଥିଲେ । ଯେଉଁଥିପାଇଁ ତାଙ୍କୁ ପାକିସ୍ତାନ ସରକାର ୧୪ କୋଟି ଟଙ୍କା ଦେବେ ବୋଲି କୁହାଯାଉଛି ।

ଜାଣିରଖିବା ଉଚିତ୍ ଯେ, ଭାରତର ଆକ୍ରମଣ ପରେ, ମସୁଦ୍ ଆଝାର ନିଜେ ଏକ ବିବୃତି ଜାରି କରିଥିଲା । ଯେଉଁଥିରେ ସେ କହିଥିଲା, ଭାରତର ଅପରେସନରେ ତା ବଡ଼ ଭଉଣୀ, ଭାଇ ଭଉଣୀ ଏବଂ ତାଙ୍କ ପିଲାମାନଙ୍କର ମୃତ୍ୟୁ ହୋଇଛି । ଏହାପରେ, ମସୁଦର ଭାଇ ରୌଫ ମଧ୍ୟ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଏହି ଆକ୍ରମଣରେ ରୌଫ ମଧ୍ୟ ନିହତ ହୋଇଥିଲା । ହେଲେ ଏହି ଆକ୍ରମଣରୁ ବର୍ତ୍ତିଯାଇଛି ନିଜେ ମସୁଦ୍ ଆଝାର । କୁହାଯାଉଛି ଏବେ ନିଜ ଜୀବନ ବଞ୍ଚାଇବାକୁ ସେ ବଙ୍କର ଭିତରେ ଲୁଚିବସିଛି ।