ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ, 6 ମୃତ 3 ଗୁରୁତର


ଅଟୋ ରିକ୍ସା ଓ ଆଇଚର ଟ୍ରକ (DCM truck)ମଧ୍ୟରେ ଜୋରଦାର ଧକ୍କା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜଣେ ଶିଶୁ ସମେତ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ଅବସ୍ଥା ଅତି ସଂକଟାପର୍ଣ୍ଣ ରହିଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ଟ୍ରାଇଭର ଗାଡି ନେଇ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।

ପୋଲିସ ସୂଚନା ଅନୁସାରେ, ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ଓରାମାଉ ଗାଁର ବାସିନ୍ଦା ରଞ୍ଜିତ ଗୁରୁବାର ତାଙ୍କ ଅଟୋରେ ଯାତ୍ରୀମାନଙ୍କୁ ନେଇ ସାଣ୍ଡିଲା ଅଭିମୁଖେ ଯାଉଥିଲେ । ସାଣ୍ଡିଲା-ବାଙ୍ଗରମାଉ ରାସ୍ତାର ହରଡାଲମାଉ ବୁଲାଣି ନିକଟରେ ଯାତ୍ରୀବାହୀ ଅଟୋକୁ ହଠାତ୍ ଏକ ଡିସିଏମ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଜୋରଦାର ଥିଲା ଯେ ଯାତ୍ରୀବାହୀ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା 4 ପୁରୁଷ ଏବଂ 2 ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି 3 ଜଣ ଅତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି ।

ଏନେଇ ଏସପି ​​ନୀରଜ କୁମାର ଜାଦୌନ କହିଛନ୍ତି ଯେ, ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା 6 ପୁରୁଷ ଏବଂ 2 ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜଣେ ଶିଶୁ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରକ୍ ଏବଂ ଡ୍ରାଇଭରଙ୍କୁ ଖୋଜା ଚାଲିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ମୃତକମାନଙ୍କୁ ଚିହ୍ନଟ କରାଯାଉଛି । ସେହିପରି ସର୍କଲ ଅଫିସର (ସିଓ) ସତ୍ୟେନ୍ଦ୍ର କୁମାର ସିଂହ କହିଛନ୍ତି ଯେ, ଦୁର୍ଘଟଣାର ତଦନ୍ତ କରାଯାଉଛି । ରିପୋର୍ଟ ଦାଖଲ କରିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।