ବର୍ବରତାର ସବୁସୀମା ଲଙ୍ଘିଲେ ଦୁର୍ବୃତ୍ତ । ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ଘଟିଛି ଛାତିଥରା ଘଟଣା । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମେଡିକାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି । ତାଙ୍କରି ବୟାନ ଆଧାରରେ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।
ମେ ୭ ତାରିଖ ସକାଳର ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ଅଭିଯୁକ୍ତଙ୍କ କବଳରୁ ଖସି ଆସିବା ପରେ ଖୁର୍ଜା ନଗର କୋତୱାଲୀ ଥାନାରେ ପହଞ୍ଚିଥିଲେ । ଆଉ ତାଙ୍କ ସହ ଘଟିଥିବା ଲୋମ ଟାଙ୍କୁରା ଘଟଣା ବିଷୟରେ ପୋଲିସକୁ କହିଥିଲେ । କେମିତି ଚଳନ୍ତା କାରରେ ନୃଶଂସ ଦୁର୍ବୃତ୍ତ ମାନେ ଦୁଇ ବନ୍ଧୁଙ୍କୁ ଗଣଦୁଷ୍କର୍ମ କରିଥିଲେ । ଆଉ ଶେଷରେ କାରରୁ ଫିଙ୍ଗି ତାଙ୍କ ସାଙ୍ଗର ଜୀବନ ନେଇଗଲେ ଏହି ପିଶାଚ ମାନେ ।
ପୋଲିସ କହିବା ଅନୁଯାୟୀ, ଝିଅମାନଙ୍କୁ ସୁରଜପୁରରୁ ଅଣାଯାଇଥିଲା ଏବଂ ଜଣଙ୍କର ହତ୍ୟା ମିରଟରେ ହୋଇଥିଲା । ମାମଲା ପ୍ରଘଟ ହେବା ଭୟରେ ଯୁବତୀଙ୍କୁ କାରର ରିଭର୍ସ ଗିଅରରେ ଚାପି ଯୁବତୀକୁ ହତ୍ୟା କରିଥିଲେ । ଏକଥା ପୋଲିସ ଅଭିଯୁକ୍ତଙ୍କୁ ପଚରା ଉଚରା କରିବା ବେଳେ ସେମାନେ ସ୍ୱୀକାର କରିଛନ୍ତି ।
ତେବେ ପୀଡିତାଙ୍କ କହିବା ଅନୁଯାୟୀ, ମେ ୧ ତାରିଖରେ ପ୍ରଥମ ଥର ପାଇଁ ଦୁଷ୍କର୍ମ ପୀଡିତା ଅଭିଯୁକ୍ତ ଅମିତଙ୍କ ସହ ଭେଟ ହୋଇଥିଲା । ମୃତ ଯୁବତୀଙ୍କ ବନ୍ଧୁ ହେଉଛନ୍ତି ଅମିତ । ଗ୍ରେଟର ନୋଏଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପୀଡ଼ିତା ଯୁବତୀ ଏବଂ ତାଙ୍କ ବନ୍ଧୁ । ସେହିଦିନ ଅମିତ ତାଙ୍କ କାରରେ ଉଭୟଙ୍କୁ ଉଠାଇ ନେଇଥିଲା । ପରେ ଦୁର୍ବୃତ୍ତ ଏହି ୨ ଯୁବତୀଙ୍କ ସହ ଏପରି କାଣ୍ଡ ଭିଆଇଥିଲେ ।
ଖାଲି ସେତିକି ନୁହେଁ ଟୋଲ ପ୍ଲାଜ଼ା ନିକଟରେ ଯେମିତି ଯୁବତୀଙ୍କ ସ୍ୱର ନ ଶୁଭିବ ସେଥିପାଇଁ ଗାଡିରେ ଜୋରରେ ଗୀତ ବଜାଉଥିଲେ ଦୁର୍ବୃତ୍ତ । ଏବଂ କାରର କାଚରେ କଳା ପରଦା ଦିଆଯାଇଥିଲା । ସେଥିପାଇଁ ନା ଯୁବତୀଙ୍କ ଚିତ୍କାର ବାହାରକୁ ଶୁଭୁଥିଲା ନା ଯୁବତୀଙ୍କୁ ବାହାର ଲୋକ କେହି ଦେଖିପାରୁଥିଲେ । ପୀଡ଼ିତା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ବୃତ୍ତ ମାନେ ଯୁବତୀଙ୍କୁ ତାଙ୍କ ପରିଚିତ ଘରେ ରଖିବାକୁ ଚାହୁଁଥିଲେ କିନ୍ତୁ ସେ ମନା କରିବାରୁ ସେମାନେ ହୋଟେଲକୁ ନେବାକୁ ବାଧ୍ୟ କରିଥିଲେ । ଆଉ ସେଠାରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭିଡ଼ିଓ କରି ଯୁବତୀଙ୍କୁ ଚାପ ପକାଇବା ସହ ତାଙ୍କୁ ଭୟଭୀତ କରି ରଖିବା ପାଇଁ ଚାହିଁଥିଲେ । କିନ୍ତୁ ତାଙ୍କର ଏହି ପ୍ଲାନ ବିଷୟରେ ପୀଡ଼ିତା ଜଣକ ଜାଣିବା ପରେ ସେ ସେମାନଙ୍କୁ ହୋଟେଲ ଯିବାକୁ ମନା କରିଥିଲେ ।
ଯେତେବେଳେ ଏହି କଥାକୁ ନେଇ କାରରେ ଯୁବତୀ ଏବଂ ଦୁର୍ବୃତ୍ତ ମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସେତେବେଳେ ମିରଟ ଜିଲ୍ଲାରେ ଜଣେ ଯୁବତୀଙ୍କୁ କାରରୁ ଠେଲି ଦେଇ ରିଭର୍ସ ଗିଅରରେ ତାଙ୍କୁ ଚାପି ଦେଇଥିଲେ । ପରେ ସେ ଆହତ ହୋଇ ମୃତ୍ୟୁବରଣ କରିଥିଲେ। ଏହା ପରେ ପୀଡ଼ିତା ଯୁବତୀଙ୍କୁ ମଦ୍ୟପାନ କରି ଗଣ ଦୁଷ୍କର୍ମ କରିଥିଲେ । ଏବଂ ସେମାନଙ୍କ କବଳରୁ ଖସିବା ପାଇଁ ଚେଷ୍ଟା କରିଥିଲେ । ଯେତେବେଳେ ସେଠାରୁ ଖସି ଆସିଥିଲେ ସେ ଥାନାରେ ପୋଲିସକୁ ସବୁକଥା ଜଣାଇଥିଲେ । ଏହି ଅଭିଯୁକ୍ତ ମାନେ ହେଉଛନ୍ତି ଗୌତମ ବୁଦ୍ଧ ନଗର ନିବାସୀ ସନ୍ଦୀପ ଓ ଅମିତ ଏବଂ ଗାଜିଆବାଦ ନିବାସୀ ଗୌରବ ।
ମେ ୮ ରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ବଞ୍ଚିଥିବା ପୀଡିତାଙ୍କ ଅଭିଯୋଗ ପରେ ବୁଧବାର ଖୁର୍ଜା ପୋଲିସ ଏକ ମାମଲା ରୁଜୁ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏନେଇ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ତାଙ୍କର ଡାକ୍ତରୀ ମାଇନା କରାଯାଇଛି । ପୋଲିସ ଟିମ୍ ଆର୍ଣ୍ଣିଆ ଅଞ୍ଚଳର ବୁଲନ୍ଦସହର-ଆଲିଗଡ଼ ରାଜପଥ ନିକଟରେ ଅଭିଯୁକ୍ତମାନଙ୍କୁ ଅଟକାଇଥିଲେ । ପୋଲିସ ସହିତ ଗୁଳି ବିନିମୟ ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଗୋଡରେ ଗୁଳି ବାଜିଥିଲା। ଏନେଇ ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଅବୈଧ ବନ୍ଧୁକ, ଗୁଳି ଏବଂ ଅପରାଧରେ ବ୍ୟବହୃତ ହୋଇଥିବା ଗାଡ଼ି ଜବତ କରିଛି ।