Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CRPF ଜବାନଙ୍କୁ ଆଶ୍ୱସ୍ତି, ବାତିଲ ହେଲା ଅପରେସନ ସିନ୍ଦୂର ଲାଗି ଛୁଟି ରଦ୍ଦ ଆଦେଶ

ଅପରେସନ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଚଢଉ ଯୋଗୁ ସୁରକ୍ଷାଗତ କାରଣରୁ କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳଙ୍କ ଛୁଟି ବାତିଲ କରି ଦିଆଯାଇଥିଲା। ସେହିପରି ଯେଉଁ ଜବାନ ଓ ଅଧିକାରୀ ଛୁଟିରେ ଥିଲେ ସେମାନଙ୍କୁ ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ୭ ମେ ରେ ଜାରି ଆଦେଶ ମୁତାବକ ସବୁ କେନ୍ଦ୍ରୀୟ ବଳଙ୍କ ଜବାନ ଓ ଅଧିକାରୀ ଛୁଟିରୁ ଡ୍ୟୁଟିକୁ ଫେରି ଆସିଥିଲେ। ଏବେ ସିଆରପିଏଫ ଛୁଟି ରଦ୍ଦ ଆଦେଶକୁ ପ୍ରତ୍ୟାହାର କରିନେଇଛି।

ଏଣୁ ଜବାନ ଓ ଅଧିକାରୀଙ୍କୁ ପୂର୍ବ ଭଳି ଛୁଟି ମିଳିପାରିବ। ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ହୋଇଥିବା ପହଲଗାମ କାଣ୍ଡ ପରେ ଭାରତ ମେ ୭ ତାରିଖ ଦିନ ପାକିସ୍ତାନର ଅନେକ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଥିଲା। ଏହାକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ବଢିବା ଯୋଗୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଅତିରିକ୍ତ କମ୍ପାନୀଙ୍କୁ ଜମ୍ମୁ-କାଶ୍ମୀରରେ ମୁତୟନ କରାଯାଇଥିଲା। ତେବେ ମେ ୧୦ ତାରିଖ ଦିନ ଦୁଇ ଦେଶଙ୍କ ମଧ୍ୟରେ ସିଜଫାୟାର ଘୋଷଣା ହୋଇଥିଲା।

ତେବେ ଉପୁଜିଥିବା ଯୁଦ୍ଧ ଭଳି ପରିସ୍ଥିତି ଯୋଗୁ ଅର୍ଦ୍ଧ ସୈନିକ ବଳଙ୍କ ଛୁଟି ବାତିଲ କରିଦିଆଯାଇଥିଲା। ଛୁଟିରେ ଯାଇଥିବା ଜବାନ ଓ ଅଧିକାରୀ ତୁରନ୍ତ ଡ୍ୟୁଟିକୁ ଫେରିଆସିଥିଲେ। ଏଥିରେ ଏପରି ବି କେତେକ ଜବାନ ଥିଲେ ଯେଉଁମାନଙ୍କର ଛୁଟି ଆରମ୍ଭ ହୋଇଥିଲା। ସେମାନେ ମଧ୍ୟ ପୁଣି ଡ୍ୟୁଟିକୁ ଫେରିଥିଲେ। ଗୁରୁବାର ସିଆରିପିଏଫ ପକ୍ଷରୁ ସବୁ ସେକ୍ଟର, ୟୁନିଟି, ଟ୍ରେନିଂ ସେଣ୍ଟରଓ ଫୋର୍ସର ଅନ୍ୟ ୟୁନିଟ୍ ଙ୍କୁ ଆଦେଶ ଜାରି କରି ୭ ମେର ଆଦେଶକୁ ତତ୍କାଳ ପ୍ରଭାବରେ ପ୍ରତ୍ୟାହାର ହୋଇଥିବା ସୂଚିତ କରାଯାଇଛି।

କେବଳ ଛୁଟି ନୁହେଁ ଅପରେସନ ସିନ୍ଦୁର ଯୋଗୁ ସିଆରପିଏଫରେ କର୍ମଚାରୀଙ୍କ ଟ୍ରାନ୍ସଫର ମଧ୍ୟ ରୋକି ଦିଆଯାଇଥିଲା। ଏପରି ଅଧିକାରୀ ଓ କର୍ମଚାରୀ ଯେଉଁମାନେ ମେ ୭ ତାରିଖ ସୁଦ୍ଧା ରିଲିଫ ହୋଇ ନଥିଲେ ସେମାନଙ୍କୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପୂର୍ବ ସ୍ଥାନରେ ରହିବାକୁ ଆଦେଶ ଦିଆଯାଇଥିଲା। ଏବେ ଟ୍ରାନ୍ସଫର ପ୍ରକ୍ରିୟା ମଧ୍ୟ ପୂର୍ବ ଭଳି ଜାରି ରହିବ ବୋଲି କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ