ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଆଝାର ପାକିସ୍ତାନରେ ଅଛି କି ବୋଲି ପଚାରିବାରୁ ସେ ଥଙ୍ଗମଙ୍ଗ ହୋଇଯାଇଥିଲେ।
ପଚାରିଲେ, ଆତଙ୍କବାଦୀ ସଂଗଠନ କିମ୍ବା ସେମାନଙ୍କର ନେତାମାନେ ଏବେ ବି ପାକିସ୍ତାନରେ ଅଛନ୍ତି କି ପ୍ରଶ୍ନରେ ସେ କହିଥିଲେ ନା, କୌଣସି ଆତଙ୍କବାଦୀ ସଂଗଠନ ନାହିଁ। କଶ୍ମୀରରେ ଅନେକ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ ଭଳି ସଂଗଠନ ବିଷୟରେ ପଚରାଯିବାରୁ, ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ‘ପୁରୁଣା କଥା’ କହି ଏହାକୁ ଖାରଜ କରିବାକୁ ଚେଷ୍ଟା କରିଥିଲେ।
ସାମ୍ବାଦିକ ଜଣକ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ନାମ ସିଧାସଳଖ ପଚାରିଲେ ଯେ, ସେ ଏବେ ବି ପାକିସ୍ତାନରେ ଅଛନ୍ତି କି ଏବଂ ସେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି କି ନାହିଁ, ଖ୍ବାଜା ଆସିଫ ଉତ୍ତର ଦେଇଥିଲେ, ମୁଁ ଭାବୁନାହିଁ ଯେ ସେ ପାକିସ୍ତାନରେ ଅଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ରୋକିବା ପାଇଁ କ’ଣ କରୁଛି ପ୍ରଶ୍ନ ଶୁଣି ମନ୍ତ୍ରୀ କହିଥିଲେ, ଆମେ ତୁମକୁ ବାହାୱଲପୁର ନେଇଯିବୁ, ତୁମେ ନିଜେ ସ୍ବାଧୀନ ଭାବରେ ଏହାର ତଦନ୍ତ କରିପାରିବ।
ଖ୍ବାଜା ଆସିଫ ଏହା ମଧ୍ୟ କହିଛନ୍ତି, ଯେଉଁମାନେ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ ଥିଲେ ସେମାନେ ଏବେ ପରିବର୍ତ୍ତନ ହୋଇଯାଇଛନ୍ତି। ସେ ଜୀବିତ ଅଛନ୍ତି, କିନ୍ତୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ନାହାଁନ୍ତି। ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ଯେ, ସେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି, କିନ୍ତୁ ଭାରତ ଏବଂ ଆମେରିକା ଭଳି ଦେଶ ପାଖରେ ଉପଲବ୍ଧ ଗୋଇନ୍ଦା ରିପୋର୍ଟ ଏବଂ ପ୍ରମାଣ ଭିନ୍ନ କାହାଣୀ କହୁଛି।