ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଆଜି ଉଲୁଣ୍ଡା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି । ଶୁକ୍ରବାର ବୈଠକରେ ଅଧ୍ୟକ୍ଷତା କରି ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଜିଲ୍ଲା ବିକାଶ ଓ ସରକାରୀ ଯୋଜନା କାର୍ଯ୍ୟକାରିତା ବିଷୟରେ ଗୁରୁତ୍ୱ ଦେଇ ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ବିଧାୟକ ଜଣାଇଛନ୍ତି ଯେ, ଜିଲ୍ଲା ଉନ୍ନତି ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମିଳିତ ଭାବରେ କାମ କରିବା ଆବଶ୍ୟକ । ସରକାରଙ୍କ ଜନ କଲ୍ୟାଣ ଯୋଜନାଗୁଡିକ ଦୃତ ଓ ବ୍ୟବସ୍ଥିତ କାର୍ଯ୍ୟକାରୀ ଭାବରେ ଲୋକଙ୍କ ନିକଟକୁ ପହଂଚିବା ଉଚିତ । କୌଣସି ଯୋଗ୍ୟ ଲୋକ ଯୋଜନାରୁ ବଞ୍ଚିତ ହେବା ଉଚିତ ନୁହେଁ ବୋଲି ସେ ସୂଚୀତ କରିଛନ୍ତି । ବୈଠକରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗଗୁଡ଼ିକ ଯଥା ପଞ୍ଚାୟତି ରାଜ, ଆବାସ ଯୋଜନା , ସ୍ୱାସ୍ଥ୍ୟ , କୃଷି , ଜଳସେଚନ , ବନଖଣ୍ଡ , ଶିକ୍ଷା, ସାମାଜିକ ସୁରକ୍ଷା , ମତ୍ସ୍ୟ ଓ ପଶୁସମ୍ପଦ , ଶ୍ରମ ବିଭାଗ ଆଦିର ଚଳିତ ଏବଂ ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଛି । ଏଥିରେ ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପର ଅବସ୍ଥା, ଅଗ୍ରଗତି ଓ ବ୍ୟାପକ ପ୍ରସ୍ତାବ ସହ ତଥ୍ୟ ଉପସ୍ଥାପନ କରିଛନ୍ତି । ବିଧାୟକ ଙ୍କ ଉପଦେଶ ଅନୁଯାୟୀ, ବିଭାଗୀୟ ହ୍ୱାଟସ୍ଆପ୍ ଗ୍ରୁପ ମାଧ୍ୟମରେ ତଥ୍ୟ ଅଦାନ-ପ୍ରଦାନ ଏବଂ ସଂଯୋଗ ସୁନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ଲଲାଟେନ୍ଦୁ ସି , ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ପଲ୍ଲବୀ ରାଣୀ ରାଜ, ବିନିକା ବ୍ଲକ ସାଂସଦ ପ୍ରତିନିଧି ବାବୁଲୁ ବିଶି , ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ , ଯୋଜନା ଓ ପରିଚାଳନା ବିଭାଗର ଅଧିକାରୀ ରୋଶନ ଗିଦ୍ଧି ପ୍ରମୁଖ ମଂଚାସୀନ ଥିବାବେଳେ ବ୍ଲକ ଓ ଜିଲ୍ଲା ସ୍ତରର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଉଲୁଣ୍ଡା ବ୍ଲକ ସଭା ଗୃହରେ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ
