Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲିଙ୍ଗୀ ବିବାହକୁ ନେଇ ଇଣ୍ଡିଆ ଟୁଡେରେ ପ୍ରଚ୍ଛଦ ପୃଷ୍ଠାରେ ଦୂତି ଚାନ୍ଦ ଓ ତାଙ୍କ ପ୍ରେମିକା

ଭୁବନେଶ୍ଵର: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ଵୀକୃତି ଦେବା ଦାବିରେ ଦାଖଲ ଆବେଦନ ଉପରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି। ୧୦ ଦିନ କ୍ରମାଗତ ମାମଲାର ଶୁଣାଣି ପରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ୫ ଜଣିଆ ପୀଠ ରାୟ ସଂରକ୍ଷିତ ରଖିଛନ୍ତି। ଇତି ମଧ୍ୟରେ ପୁଣି ଥରେ ଚର୍ଚ୍ଚାରେ ଧାବିକା ଦୂତି ଚାନ୍ଦ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମାଗାଜିନର ପ୍ରଚ୍ଛଦ ପୃଷ୍ଠାରେ ଦୂତି ନିଜର ପ୍ରେମିକା ମୋନାଲିସାଙ୍କ ମଥାରେ ସିନ୍ଦୂର ଦେଉଥିବା ଫଟୋ ସ୍ଥାନ ପାଇଛି। ଏଥିସହ ସମଲିଙ୍ଗୀ ବିବାହ ଆଇନଗତ ସ୍ଵୀକୃତି ଦେବାକୁ ଦୂତି ସମର୍ଥନ କରୁଥିବା ଏଥିରେ ପ୍ରକାଶ ପାଇଛି।

ସଂପ୍ରତି ନିଜ ଖେଳ ଅପେକ୍ଷା ଦୂତି ଚାନ୍ଦ ନିଜର ବ୍ୟକ୍ତିଗତ ଜୀବନକୁ ସର୍ବଦା ଚର୍ଚ୍ଚା ଏବଂ ବିବାଦ ଘେରରେ ରହିଛନ୍ତି। ନିଜର ଯୁବତୀ ପ୍ରେମିକାଙ୍କ ସହ ତାଙ୍କର ସଂପର୍କ ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରିକି ଏହାକୁ ନେଇ ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ଦୂତିଙ୍କ ବିବାଦ ଘନେଇଥିଲା। ତାଙ୍କର ସମଲିଙ୍ଗୀ ସଂପର୍କ ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମା ମଧ୍ୟ ପାଲଟିଥିଲା। ଏବେ ସମଲିଙ୍ଗୀ ବିବାହକୁ ନେଇ ଦୂତି ଚାନ୍ଦ ଏବଂ ତାଙ୍କ ଯୁବତୀ ପ୍ରେମିକା ଇଣ୍ଡିଆ ଟୁଡେ ମାଗାଜିନ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛନ୍ତି। ପ୍ରେମିକା ମୋନାଲିସାଙ୍କ ମଥାରେ ଦୂତି ସିନ୍ଦୂର ଦେଉଥିବା ଦେଖିବାକୁ ମିଳିଛି। ଏହା ପରେ ପୁଣିଥରେ ଖବରକୁ ଆସିଛନ୍ତି ଏହି ଆଥଲେଟ୍। ସମଲିଙ୍ଗୀ ବିବାହକୁ ନେଇ ବର୍ତ୍ତମାନ ଦୂତି ଦେଶରେ ଏକ ଉଦାହରଣ ପାଲଟିଛନ୍ତି।

ସୂଚନାଯୋଗ୍ୟ, ସମଲିଙ୍ଗୀ ବିବାହକୁ ଆଇନଗତ ସ୍ଵୀକୃତି ଦେବା ସଂପ୍ରତି ଦେଶରେ ବିତର୍କର ବିଷୟ ପାଲଟିଛି। କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ବିରୋଧ କରୁଥିବା ଆବେଦନକାରୀ ଏହା ସମର୍ଥନରେ ନିଜର ଦଲିଲ୍ ରଖି ସାରିଛନ୍ତି। ଅଧିକାଂଶ ବର୍ଗ ଏହା ଆମ ଭାରତର ସଂସ୍କୃତି ଏବଂ ପରମ୍ପରା ବିରୋଧୀ ଦର୍ଶାଇ ଏହାର ଜୋରଦାର ବିରୋଧ କରିଛନ୍ତି। ଅନ୍ୟପଟେ ଅନେକ ସଂଗଠନ ବ୍ୟକ୍ତିଙ୍କୁ ସେମାନଙ୍କର ଜୀବନ ସାଥୀ ବାଛିବାର ଅଧିକାର ରହିଛି। ତେଣୁ ସମ୍ବିଧାନ ଅନୁସାରେ ଏହାକୁ ଆଇନଗତ ମାନ୍ୟତା ଦେବାକୁ ଦାବି ହୋଇଛି।