Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଧାଇଁବାକୁ ପଡିବନି ତହସିଲ ଅଫିସ: ମାଗଣାରେ ହେବ ପଟ୍ଟା ପରିବର୍ତ୍ତନ

ସରକାର ଜମିଜମା ପ୍ରକ୍ରିୟାରେ ବଡ ସଂଶୋଧନ କରିଛନ୍ତି । ଏଣିକି ପଟ୍ଟା ପରିବର୍ତ୍ତନ ପ୍ରକ୍ରିୟା ସହଜ ହେବ ଓ କୌଣସି ଦେୟ ଦେବାକୁ ପଡିବନି । ଗାଁକୁ ଗାଁ ଯାଇ ରାଜସ୍ବ ନିରୀକ୍ଷକ ସମସ୍ୟାର ସମାଧାନ କରିବେ । ସେହିଭଳି ୧୯୮୩ ଆଇନର ସଂଶୋଧନ କରି ଭୂମିହୀନ ସଂଜ୍ଞାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର ।

ଭୂସଂସ୍କାର ପ୍ରକ୍ରିୟାରେ ରାଜ୍ୟ ସରକାର ଆଣିଛନ୍ତି ବଡ ପରିବର୍ତ୍ତନ । ଏଥିପାଇଁ ଲୋକଙ୍କୁ ସଚେତନ ବି କରୁଛନ୍ତି । ପୂର୍ବରୁ ପଟ୍ଟାଧାରୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କ ପାଇଁ ପଟ୍ଟା ପରିବର୍ତ୍ତନରେ ସମସ୍ୟା ହେଉଥିଲା । ଘର ଓ ଜମିବାଡିର ପଟ୍ଟା କରିବାକୁ ସମସ୍ୟା ଭୋଗୁଥିଲେ ଲୋକେ । ଏବେ ଏଥିରେ ବଡ ପରିବର୍ତ୍ତନ ହୋଇଛି । ଏଣିକି ଗାଁ ଗାଁକୁ ଯାଇ ଆରଆଇମାନେ କ୍ୟାମ୍ପ କରି ଲୋକଙ୍କ ତଥ୍ୟ ସଂଗ୍ରହ କରିବେ ।

ପଟ୍ଟା ପରିବର୍ତ୍ତନର ପ୍ରକ୍ରିୟା
ନିର୍ଦ୍ଧାରିତ ଫର୍ମରେ ପରିବାର ଲୋକ ଓ ସାକ୍ଷୀ ଭାବରେ ଦୁଇ ଜଣ ସାକ୍ଷୀ ରହିବେ
ସଂପୃକ୍ତ ପରିବାରକୁ ତହସିଲ ଅଫିସରୁ ୧୫ ଦିନିଆ ଭିତରେ ନୋଟିସ ଆସିବ
ସଂପୃକ୍ତ ପରିବାର ଆପତ୍ତି ଅଭିଯୋଗ କରିପାରିବେ
ଆପତ୍ତି ଥିଲେ ତହସିଲ ଅଫିସରେ ଆପୋଷ ବୁଝାମଣା ହେବ
ପଟ୍ଟାରେ ନାଁ ପରିବର୍ତ୍ତନ କରିବ ତହସିଲ ଅଫିସ
ଏଥିପାଇଁ କିଛି ଦେୟ ଦେବାକୁ ପଡିବନାହିଁ

ଜମିପଟ୍ଟା ପରିବର୍ତ୍ତନ ବେଳେ ଅନେକ ଲୋକଙ୍କ ପାଖରେ ୪ ଡିସିମିଲରୁ କମ ଜାଗା ଥିବା ଜଣାପଡିଛି । ଅନେକ ଜମି ମୂଳ ଉତ୍ତାଧିକାରୀଙ୍କ ନାଁରେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ସରକାର ଓଡିଶା ଜମିଜମା ଆଇନ-୧୯୮୩ରେ ସଂଶୋଧନ ଆଣିଛନ୍ତି । ଭୂମିହୀନ ସଂଜ୍ଞାରେ ପରିବର୍ତ୍ତନ ଆସିଛି । ଏଥି ଅନୁସାରେ,

୪ ଡିସିମିଲରୁ କମ ଜମି ଥିଲେ ସେ ଭୂମିହୀନ ଭାବେ ଗଣା ହେବେ
ନିଜ ନିଜ ଜିଲ୍ଲାରେ ୪ ଡିସିମିଲରୁ କମ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଘରକୁ ଘର ସର୍ଭେ କରିବ ରାଜସ୍ବ ବିଭାଗ
ଘରପଟ୍ଟା ନଥିବା ଲୋକଙ୍କୁ ବସୁନ୍ଧରା ଯୋଜନାରେ ସରକାର ଜମି ପଟ୍ଟା ଯୋଗାଇ ଦିଆଯିବ
୪ ଡିସିମିଲରୁ କମ ଜମି ସରକାରଙ୍କୁ ଦେଲେ ଘର ଆଖପାଖରେ ସରକାର ଦେବେ ୪ ଡିସିମିଲ ଜମି

ପୂର୍ବରୁ ସାରା ରାଜ୍ୟରେ ଜମି ପଟ୍ଟାକୁ ନେଇ ଘରେ ଘରେ ଅନେକ ଦ୍ବନ୍ଦ୍ବ ଲାଗିରହୁଥିଲା । ପରିବାରରେ ଅଶାନ୍ତି ମଧ୍ୟ ସୃଷ୍ଟି ହେଉଥିଲା । ଏବେ ଜମି ପଟ୍ଟା ପରିବର୍ତ୍ତନ ଓ ଭୂମିହୀନର ସଂଜ୍ଞା ବଦଳିବା ପରେ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିବା ଆଶା କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ