ଜଗତସିଂହପୁର ରାଜନୀତିରେ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ଚିରଞ୍ଜିବୀ ଫେରିବେ କି କଂଗ୍ରେସ କୁ


କଂଗ୍ରେସ କ୍ୟାମ୍ପରୁ ଯାଇଥିବା ଅନେକ ନେତା ଏବେ ବିଜେଡି ଶିବିରରେ ଅଣନିଶ୍ବାସୀ । ଦଳ ଦାୟିତ୍ବ ଦେଉନି କି ବିଶ୍ବାସକୁ ନେଉନି । ଏଭଳି ସ୍ଥଳେ ପୁଣିଥରେ କଂଗ୍ରେସର ହାତ ଧରିବାକୁ ମନ ବଳାଇଲେଣି ଦଳଡିଆଁ ନେତା ।

ଉପକୂଳ ଓଡ଼ିଶାର ଟାଣୁଆ ନେତା ଚିରଞ୍ଜିବୀ ବିଶ୍ବାଳ ।କଂଗ୍ରେସ ସହ ଦୀର୍ଘବର୍ଷର ସର୍ମ୍ପକ ଛିନ୍ନ କରି ବଡ ଆଶା ନେଇ ବିଜେଡି ଶିବିରକୁ ଆସିଥିଲେ । ବିଜେଡି ତାଙ୍କ ହାତରେ ଶଙ୍ଖ ଧରାଇଲା, କିନ୍ତୁ ୨୪ ନିର୍ବାଚନରେ ଲଢିବାକୁ ସୁଯୋଗ ଦେଲାନି । ପ୍ରତିବଦଳରେ ବଡ ପଦବୀରେ ଥଇଥାନ ପାଇଁ ମିଳିଥିଲା ପ୍ରତିଶ୍ରୁତି । ହେଲେ ବିଜେଡି ଶାସନ କ୍ଷମତାରୁ ଯିବା ପରେ ଚିରଞ୍ଜିବୀଙ୍କ ସବୁ ଆଶା ମଉଳିଲା । ପଦବୀ ତ ମିଳିଲାନି, ଦଳରେ କୋଣଠେସା ହୋଇଗଲେ ଚିରଞ୍ଜିବୀ । କିନ୍ତୁ ଗତ କିଛି ଦିନ ଭିତରେ ଭାଇ ରଞ୍ଜୀବ ବିଶ୍ବାଳ ପୁଣିଥରେ କଂଗ୍ରେସ ଶିବିରରେ ସକ୍ରିୟ ହୋଇଛନ୍ତି । ଜଗତସିଂହପୁର ରାଜନୀତିରେ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ଚିରଞ୍ଜିବୀ ପୁରୁଣା ଘରକୁ ଫେରିପାରନ୍ତି ।

୨୯ ମାର୍ଚ୍ଚ ୨୦୨୪
ପଶ୍ଚିମ ଓଡ଼ିଶାର ହେଭିୱେଟ ଚେହେରା ସୁରେନ୍ଦ୍ର ସିଂ ଭୋଇ । ଚିରଞ୍ଜିବୀଙ୍କ ଭଳି ସୁରେନ୍ଦ୍ର ମଧ୍ୟ ବଡ ସ୍ବପ୍ନ ନେଇ ବିଜେଡି କ୍ୟାମ୍ପକୁ ଆସିଥିଲେ । ସୁରେନ୍ଦ୍ର ଟିଟିଲାଗଡରୁ ଲଢିବାକୁ ଚାହୁଥିଲେ ମଧ୍ୟ ବଲାଙ୍ଗୀରରେ ରାଜପରିବାରର କାଟତି କମାଇବାକୁ ଲୋକସଭା ଆସନରେ ଲଢାଇଲା ବିଜେଡି । କିନ୍ତୁ ଏହି ଏକ୍ସପେରିମେଣ୍ଟରେ ଫେଲ ମାରିଥିଲା ବିଜେଡି । ନିର୍ବାଚନ ପରାଜୟ ପରଠାରୁ ସୁରେନ୍ଦ୍ରଙ୍କୁ ଆଉ ଶଙ୍ଖ ଶିବିରରେ ସେତେଟା ସକ୍ରିୟ ଦେଖିବାକୁ ମିଳୁନି । ଚର୍ଚ୍ଚା ହେଉଛି, କଂଗ୍ରେସକୁ କମବ୍ୟାକ୍ କରିପାରନ୍ତି ସୁରେନ୍ଦ୍ର ।

ଚିରଞ୍ଜିବୀ ଓ ସୁରେନ୍ଦ୍ରଙ୍କ ଭଳି କଂଗ୍ରେସରୁ ଆସିଥିବା ଆଉ କିଛି ନେତା ମଧ୍ୟ ବିଜେଡିରେ ନିଜର ଅସ୍ତିତ୍ବ ଖୋଜୁଛନ୍ତି । ୨୦୨୪ ନିର୍ବାଚନ ଲଢିବାକୁ ସୁଯୋଗ ପାଇନଥିବା ଭୂପିନ୍ଦର ଏବେ ବିଜେଡି ବିରୋଧରେ ଖୁଲମଖୁଲା ବିଦ୍ରୋହ କରିବାର ସଂକେତ ଦେଲେଣି । ଭଲ ଖେଳାଳିଙ୍କୁ ସବୁ ଦଳରେ ଖୋଜେ ଏବଂ ଭକ୍ତ ଦାସଙ୍କ ସହ ବନ୍ଧୁତା ଥିବା କହି ଚର୍ଚ୍ଚାକୁ ବଳ ଦେଇଛନ୍ତି ଭୂପିନ୍ଦର ।

୨୦୨୪ ନିର୍ବାଚନ ପୂର୍ବରୁ ସରକାରୀ ଦଳର ମୋହ, ବିରୋଧୀ କଂଗ୍ରେସ କ୍ୟାମ୍ପର ନେତାଙ୍କୁ ବିଜେଡି ମୁହାଁ କରିଥିଲା । ହେଲେ ଏବେ ଦୋଛକିରେ ଦଳଡିଆଁ ନେତା । ବିଜେଡିରେ ରହିବେ ନା କଂଗ୍ରେସକୁ ଫେରିବେ ।