ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା। ୪ ପୋଲିସ କର୍ମଚାରୀଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ। ଜଣେ ଏସଆଇ, ୨ ଏଏସଆଇ ଏବଂ ଜଣେ କନଷ୍ଟେବଳଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର। ନିଲମ୍ବନ ପ୍ରତ୍ୟାହାର କଲେ ପୋଲିସ ଡିଜି।
ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୋଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ ।
ଏହାକୁ ନେଇ ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ମେଜର୍ ଓ ବାନ୍ଧବୀଙ୍କ ହାଜତରେ ରଖିବା ସହିତ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ମେଜରଙ୍କୁ ରାତିସାରା ଥାନା ଲକଅପ୍ରେ ବନ୍ଦ କରି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମେଜରଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଚିକିତ୍ସା ପାଇଁ ତାଙ୍କ ବାନ୍ଧବୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ମାମଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ମାମଲାର ଗମ୍ଭୀରତାକୁ ଦେଖି ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଆଉ ତଦନ୍ତକ୍ରମେ ଚାରି ପୋଲିସ କର୍ମଚାରୀଙ୍କ ଉପରେ ନିଲମ୍ବନ କରାଯାଇଥିଲା।