ସରକାର କିଣିବେ SC/STଙ୍କ ଜମି; ଝିଅ ବାହାଘର, ପିଲାଙ୍କ ପାଠ ଓ ଚିକିତ୍ସା ପାଇଁ ଜମି ବିକିବାରେ ସମସ୍ୟା ହେଲେ ଦେବେ ସହାୟତା


ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଝିଅ ବାହାଘର, ଚିକିତ୍ସା ଏବଂ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି । କମିଟିରେ ଏସଟି, ଏସ୍‌ସି ବିଭାଗରର ପ୍ରମୁଖ ସଚିବ, ଏସଟି୍‌ଏସ୍‌ସି ବିଭାଗର ନିର୍ଦ୍ଦେଶକ, ବିଶେଷଜ୍ଞ, କିଛି ଅଭିଜ୍ଞ ଅଧିକାରୀ ରହିବେ । ସେମାନେ ଏ ବାବଦରେ ନିରୀକ୍ଷଣ କରି ରିପୋର୍ଟ ଦେବେ । ଏହାସହ ଅନୁସୂଚିତ ଜନଜାତି ଓ ଜାତି ମାନଙ୍କର ସଙ୍ଗଠନ, ବିଭିନ୍ନ ରାଜନୈତିକ ଦଳ, ଏସ୍‌ଟି ଏବଂ ଏସ୍‌ସି ବିଭାଗର ଗୃହ କମିଟି, ବିଧାୟକ ମାନଙ୍କର ପରାମର୍ଶ ମଧ୍ୟ ନିଆଯିବ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେଲାପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ସରକାର ଉକ୍ତ ଜମିକୁ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ । ପରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି କିଣିପରିବେ । କିନ୍ତୁ ଯଦି ଜମି ମାଲିକ ଆଉ ଜମି ଫେରାଇ ନେବାକୁ ଚାହିଁବେ ନାହିଁ, ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କୁ ହିଁ ନିଲାମ କରାଯିବ । ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜମି ସେହି ବର୍ଗର ଲୋକଙ୍କୁ ନିଲାମ କରାଯିବ । ଫଳରେ ପ୍ରଭାବଶାଳୀ ଓ ଧନୀ ବ୍ୟକ୍ତି ଚାପ ପକାଇ ଜମି ହାତେଇ ପାରିବେନି ।