କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି। ସେପଟେ, ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶା ଅନେକ ସ୍ଥାନରେ ପ୍ରାକମୌସୁମୀ ବର୍ଷା ଦେଖିବାକୁ ମିଳିଛି। ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡା ଓ ଜଗତିଂହପୁର ଏହି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହଳୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର, ମାଲକାନଗିରି , କୋରାପୁଟ,ରାୟଗଡା, ଗଜପତି, ଗଂଜାମ, ଜଗତସିଂହପୁର କେନ୍ଦ୍ରାପଡା କନ୍ଧମାଳକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛ। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ସୃଷ୍ଟି ହେବାର ୨ ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାରି ପ୍ରଭାବରେ ୨୭ ତାରିଖରୁ ୩୦ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।