ବିବାହିତା ପ୍ରେମିକାକୁ ଭେଟିବାକୁ ଆସି ମହିଳାଙ୍କ ସ୍ଵାମୀ ହାତରେ ଧରା ପଡି ହଟହଟା ହୋଇଛନ୍ତି ପ୍ରେମିକ


ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ବିଲେଇସର୍ଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିବାହିତା ପ୍ରେମିକାକୁ ଭେଟିବାକୁ ଆସି ମହିଳାଙ୍କ ସ୍ଵାମୀ ହାତରେ ଧରା ପଡି ହଟହଟା ହୋଇଛନ୍ତି ପ୍ରେମିକ । କୋଠାରୀରୁ ସ୍ତ୍ରୀ ଓ ତାଙ୍କ ପ୍ରେମିକକୁ ସ୍ଵାମୀ ରଙ୍ଗେ ହାତ ଧରି ବାହା କରାଇବା ଘଟଣା ଏବେ ଚର୍ଚ୍ଚାରେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଇଁତଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୁଣି ଫେରି ଆସିଥିବା ଜଣାପଡିଛି ।

ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ମହିଳାଙ୍କ ଶାଶୁଘର ଲୋକେ ଓ ଗ୍ରାମବାସୀ ଗାଁରେ ବୈଠକ କରି ଜଗନ୍ନାଥ ମନ୍ଦିରରେ ମହିଳାଙ୍କୁ ପ୍ରେମିକ ସହ ବିବାହ କରି ତଡି ଦେଇଥିବା ଜଣାପଡିଛି ।

ତେବେ ଘଟଣାଟି ଶୁକ୍ରବାରର ବୋଲି ଜଣାପଡିଛି । ମହିଳା ଜଣଙ୍କ ବର୍ଷେ ତଳେ ବିଲେଇସର୍ଡା ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଉଭୟ ସ୍ଵାମୀ ସ୍ତ୍ରୀ ଖୁସିରେ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ତ୍ରୀ ବିଛଣାରୁ ଉଠି କିଛି ନକହି ଅନ୍ୟ କୋଠାରୀକୁ ଚାଲି ଯାଇଥିଲେ । ସ୍ଵାମୀ ଶୋଇପଡି ଥିବାର ସୁଯୋଗ ନେଇ ମହିଳା ତାଙ୍କ ପ୍ରେମିକକୁ ଘର ଭିତରକୁ ଡାକିଥିଲେ । ପ୍ରାୟ ଅଧଘଣ୍ଟା ଧରି ସ୍ତ୍ରୀ ନଆସିବାରୁ ନିଜେ ଉଠି ଖୋଜିଥିଲେ ସ୍ଵାମୀ ।

ତେବେ ମହିଳା ଜଣକ ଅନ୍ୟ ଏକ କୋଠାରୀରେ ପ୍ରେମିକ ସହ ଥିବା ସେ ଦେଖିବାକୁ ପାଇଥିଲେ । ଯାହାପରେ ପ୍ରେମିକକୁ କାବୁ କରିବା ସହ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଶୁଣି ପରିବାର ଲୋକେ ପହଞ୍ଚିଥିଲେ । ଏହାପରେ ଯୁବକ ଓ ମହିଳାକୁ କୋଠାରୀରେ ବନ୍ଦ କରି ଗାଁ ଲୋକଙ୍କୁ ଖବର ଦିଆଯାଇଥିଲା । ପଚରାଉଚରା କରିବାରୁ ଯୁବକ ଜଣକ ବିବାହିତା ମହିଳାଙ୍କ ପ୍ରେମିକ ବୋଲି ଜଣାପଡିଥିଲା । ସବୁଠାରୁ ବଡ କଥା ହେଲା ମହିଳା ଜଣଙ୍କ ବର୍ତ୍ତମାନ ୫ମାସର ଗର୍ଭବତୀ ।

ଏପଟେ ପ୍ରେମିକ ଜଣକ ଅନ୍ୟ ଜିଲ୍ଲାର । ତେବେ ଗାଁ ବୈଠକରେ ସ୍ଵାମୀ ନିଜ ସ୍ତ୍ରୀକୁ ଆଉ ଅପଣାଇବାକୁ ମନା କରିଦେବାରୁ ମହିଳା ଓ ପ୍ରେମିକ ଉଭୟଙ୍କ ଘର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା । ଉଭୟଙ୍କ ଘର ଲୋକେ ପହଁଞ୍ଚିବା ପରେ ଗାଁ ଜଗନ୍ନାଥ ମନ୍ଦିରରେ ସେମାନଙ୍କ ବିବାହ କରାଯାଇଥିଲା । ବିବାହ ପରେ ଗର୍ଭବତୀ ମହିଳା ଓ ତାଙ୍କ ପ୍ରେମିକକୁ ଗାଁରୁ ବିଦା କରିଥିବା ଜଣାପଡିଛି । ତେବେ ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।