ସମ୍ବଲପୁର ଶୀତଳଷଷ୍ଠୀ-୨୦୨୫ ରେ ସାମିଲ ହେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା:ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ହେଉଛି ଶୀତଳ ଷଷ୍ଠୀ – ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡ଼ିଓ ବାର୍ତ୍ତା ଜରିଆରେ ଶୀତଳ ଷଷ୍ଠୀ -୨୦୨୫ର ଶୁଭେଚ୍ଛା ଜଣାଇବା ସହ ଆସନ୍ତାକାଲି ଠାରୁ ଜୁନ ୨ ପର୍ଯ୍ୟନ୍ତ ସମ୍ବଲପୁର ଶୀତଳଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଗଣମାଧ୍ୟମ ଙ୍କୁ ଦେଇ ଥିବା ସୂଚନା ରେ ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ଏବେ ଶୀତଳ ଷଷ୍ଠୀର ସମୟ ଆସିଛି । ସବୁଆଡେ ଆଧ୍ୟାତ୍ମିକ ଏବଂ ଆନନ୍ଦର ବାତାବରଣ ଦେଖାଯାଇଛି । ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳ ଷଷ୍ଠୀ ମହାଆଡମ୍ବରରେ ପାଳିତ ହେଉଛି । ଶୀତଳ ଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ । ଏହି ପବିତ୍ର ଅବସରରେ ସବୁ ଗୁରୁଜନ, ମାଆ ଭଉଣୀ ଏବଂ ଦାଦା ଭାଇମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ମହାନ ପର୍ବ ଶୀତଳ ଷଷ୍ଠୀ ମହାନଦୀ କୂଳରେ ଥିବା ସମ୍ବଲପୁରର ଗାରିମା ଏବଂ ପରିଚୟକୁ ଶ୍ରୀମନ୍ତ କରିଛି । ଶୀତଳ ଷଷ୍ଠୀ ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ ପରମ୍ପରାର ଉଜ୍ଜ୍ୱଳ ପ୍ରତୀକ ଭାବରେ ରହିଆସିଛି ।
ଭଗବାନ ଏବଂ ସାଧାରଣ ଭକ୍ତଙ୍କ ଏକାକାର ହେବାର ବିରଳ ଲୋକ ସଂସ୍କୃତିର ସ୍ୱରୂପ ହେଉଛି ଶୀତଳ ଷଷ୍ଠୀ । ଏହି ଲୋକସଂସ୍କୃତିରେ ସାଧାରଣ ଭକ୍ତ ଭଗବାନଙ୍କ ଉପରେ ନିଜର ଅଧିକାର ଜାହିର୍ କରେ । ଭଗବାନ ମଧ୍ୟ ସାଧାରଣ ଭକ୍ତଙ୍କର ଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ଜୀବନର ରିତିନୀତିରେ ନିଜକୁ ସାମିଲ କରନ୍ତି । କଲ୍ୟାଣମୟୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କର ଲୋକ ପରମ୍ପରା ଆଧାରରେ ହିଁ ବିବାହ ଅନୁଷ୍ଠିତ ହୋଇଥାଏ । ଏହା ପଛରେ ଜଗତ କଲ୍ୟାଣର ଚେତନା ରହିଛି । ଏହି ମହାନ ଚିନ୍ତା ଶୀତଳ ଷଷ୍ଠୀ ପାଳନ ହେବାର ଆଧାର ଅଟେ । ପ୍ରବଳ ଖରା ଏବଂ ଗରମରୁ ମୁକ୍ତି ପାଇବା ସହ ଭଲ ବର୍ଷା କରିବା ପାଇଁ ଭକ୍ତଟିଏ ଶୀତଳ ଷଷ୍ଠୀରେ ପ୍ରାର୍ଥନା କରିଥାଏ । ଭଲ ବର୍ଷା ହେଲେ ଭଲ ଚାଷ ହେବ ଏବଂ ସମୃଦ୍ଧି ଆସିବ ।
ଶୀତଳ ଷଷ୍ଠୀର’ “ଥାଳି ଉଠା”, “ପତର ପେଣି”,“ଗୁଆ ଗୁଣା”, “ଦେବ ନିମନ୍ତ୍ରଣ” ଏବଂ “ଦେବ ବିବାହ” ଇତ୍ୟାଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି । ଶୀତଳଷଷ୍ଠୀର ଆଉ ଗୋଟିଏ ଭବ୍ୟ ଦିଗ ହେଉଛି, ଏହି ଦିନ ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ ହୁଏ । ଦେଖିବାକୁ ଗଲେ ଲୋକ ସଂସ୍କୃତିର ନିଚ୍ଛକ ସମାହାର ହେଉଛି ଶୀତଳ ଷଷ୍ଠୀ । ଶୀତଳ ଷଷ୍ଠୀ, ଭାରତର ସାଂସ୍କୃତିକ ଐତିହ୍ୟର ଗୋଟିଏ ଅଂଶବିଶେଷ । ସେଥିପାଇଁ ଭାରତ ସରକାର “ଶୀତଳ ଷଷ୍ଠୀ” ଉପରେ ଡାକ ଟିକେଟ୍ ପ୍ରସ୍ତୁତ କରିଛନ୍ତି। ଅତ୍ୟନ୍ତ ଖୁସିର କଥା, ଚଳିତବର୍ଷ ଓଡ଼ିଶା ସରକାର ଶୀତଳ ଷଷ୍ଠୀ ପାଇଁ ପୃଷ୍ଠପୋଷକତା କରିଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆମେ ସମସ୍ତେ ମିଳିମିଶି ଶୀତଳ ଷଷ୍ଠୀର ଭବ୍ୟତାକୁ ଆହୁରି ଆଗକୁ ନେବା । ଶୀତଳ ଷଷ୍ଠୀର ଜଗତ କଲ୍ୟାଣ ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ରହୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।