Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଷାକୋଠି ଅଭୟାରଣ୍ୟର ସୁରକ୍ଷା ସହ ବିକାଶ ନେଇ ହେବ ଯୋଜନା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁର ଜମନକିରା ବ୍ଲକ ବଡ଼ରମା ସ୍ଥିତ ଉଷାକୋଠି ଅଭୟାରଣ୍ୟ ପରିଦର୍ଶନ କରିବା ସହ ଏହାର ସୁରକ୍ଷା ଏବଂ ବିକାଶ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ଅଭୟାରଣ୍ୟରେ ଥିବା ନିରୀକ୍ଷଣ ଅଟ୍ଟାଳିକା ଓ ବଡରମା ଠାରେ ଶିକାରୀ ନିରୋଧ ତନଖି ଫାଟକ ଓ ତନଖି ଗୃହ ସହିତ ପର୍ଯ୍ୟଟକ ସୁବିଧା କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ଥିବା ସମସ୍ୟା ଓ ସମ୍ଭାବନା ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ, ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡରମା ବନାଞ୍ଚଳ ଅଧୀନ ଏହି ଅଭୟାରଣ୍ୟରେ ଅନେକ ବନ୍ୟଜନ୍ତୁ ଥିବାବେଳେ ଅନେକ ମୂଲ୍ୟବାନ ବୃକ୍ଷ ସମୂହ ବହୁପରିମାଣରେ ରହିଛି । ଜଙ୍ଗଲ, ଝରଣା, ସବୁଜିମାରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି । ନିରୀକ୍ଷଣ ଅଟ୍ଟାଳିକା ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ ନିରାପଦରେ ବନ୍ୟଜନ୍ତୁ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଏକ ଭଲ ବ୍ୟବସ୍ଥା ରହିଛି । ପର୍ଯ୍ୟଟନ ଆମର ସମ୍ପଦ । ଏହି ଅଭୟାରଣ୍ୟର ସୁରକ୍ଷା, ଅବାଧ ଶିକାରକୁ ରୋକିବା, ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଉଷାକୋଠି ଅଭୟାରଣ୍ୟର ବିକାଶ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ସହଯୋଗୀ ହେବେ ବୋଲି ସେ କହିଛନ୍ତି ।
ଉଷାକୋଠି ଅଭୟାରଣ୍ୟରେ ଥିବା କୁତବ ଗ୍ରାମର ସ୍ଥାନୀୟ ଲୋକମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଏହି ଅଞ୍ଚଳରେ ଜଙ୍ଗଲ ବିଭାଗ ନିୟମ ପାଇଁ ରାସ୍ତା ହୋଇପାରିନଥିବା ବେଳେ କିପରି ନୀତିଦିନିଆ ରାସ୍ତା ତିଆରି କରାଯିବ, ତାହାର ବ୍ୟବସ୍ଥା କରାଯିବ । ପିଲାମାନଙ୍କୁ ଶିକ୍ଷା ସହ ଲୋକମାନଙ୍କ ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଗମନାଗମନ ଏବଂ ଆନୁଷଙ୍ଗିକ ମୌଳିକ ବ୍ୟବସ୍ଥା ଯୋଗାଇ ଦେବା ନେଇ ଯୋଜନା କରିବା ଉପରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଏହି ଅଞ୍ଚଳରେ ଲୋକଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ ବନବିଭାଗକୁ ପରାମର୍ଶ ଦେଇଥିଲେ । ଅଭୟାରଣ୍ୟ ପରିସରରେ ଥିବା ଲୋକଙ୍କୁ ଉପଯୁକ୍ତ ସୁବିଧା ଯୋଗାଇବା ସହ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମ ସରକାର ବଦ୍ଧ ପରିକର ।
ଉଷାକୋଠି ଯିବା ସମୟରେ ଖଲିଆପାଲି ଛକରେ କପିଳ ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଙ୍କୁ ଉଜ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ସମୟରେ ଜୁଯୋମୁରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର,ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଗୋକୁଳା ସାହୁ,ସମିତି ସଦସ୍ୟା ବନିତା ଓରାମ, ଟିକି ପ୍ରଧାନ, ନରେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ