Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କୃଷି ଜିଲ୍ଲା ରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ରବି ଧାନ ଫସଲ ନଷ୍ଟ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷିଜିଲା ରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ରବି ଧାନ ଫସଲ ନଷ୍ଟ ହୋଇଛି। ତେଣୁ ରବି ରେ ଧାନ ଚାଷ କରିଥିବା ଚାଷୀ ହତାଶ ହୋଇ ପଡ଼ିଛି। ବୀରମହାରାଜପୁର ଅଞ୍ଚଳରେ ପ୍ରାୟ ସପ୍ତାହେ ହେଲା ଲଗାଣ ବର୍ଷା ଲାଗି ରହିଛି। ଫଳରେ ରବି ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତା ରେ ପଡ଼ିଛି। ସରକାରୀ ତଥ୍ୟ ଅନୁସାରେ ଚଳିତ ରବି ଋତୁରେ ବୀରମହାରାଜପୁର କୃଷି ଜିଲ୍ଲାରେ ପ୍ରାୟ ୧୧ଶହ ୨୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ମାତ୍ର ବେସରକାରୀ ଭାବେ ୧୪ ଶହ ରୁ ଅଧିକ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଚଳିତ ବର୍ଷ ଚାଷୀ ମାନେ ଧାର କରଜ କରି ଚାଷ କରିଥିଲେ। ଭଲ ରେ ଚାଷ ମଧ୍ୟ ହୋଇଥିଲା । ଅଧିକ ଅମଳ ଆଶା କରିଥିବା ଚାଷୀ ଫସଲ ଦେଖି ବେଶ ଖୁସି ହେଉଥିଲା । ଏବେ କେତେକ ଚାଷୀ ଧାନ ଅମଳ କରି ଧାନ କୁ ଗଦା କରି ରଖିଥିବା ବେଳେ ଆଉ କେତେକ ଧାନ ଅମଳ ହୋଇ ନାହିଁ। ମାତ୍ର ଲଗାଣ ବର୍ଷା ଯୋଗୁଁ ଏବେ ଧାନ ଅମଳ ମଧ୍ୟ ହୋଇ ପାରୁ ନାହିଁ । ଯେଉଁ ଚାଷୀମାନେ ଧାନ ଗଦା କରି ରଖିଛନ୍ତି ଲଗାଣ ବର୍ଷା ଯୋଗୁଁ ସେମାନେ ଧାନ କୁ ଶୁଖାଇ ପାରୁ ନାହାନ୍ତି। ଫଳରେ ସେହି ଧାନ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଚାଷ ଜମିରେ ଥିବା ଧାନ ଫସଲ ବର୍ଷା ଯୋଗୁଁ ଗଜା ହେବାକୁ ବସିଲାଣି। ବ୍ଲକ ର ମୁର୍ଷୁଣ୍ଢି ପଞ୍ଚାୟତ କର୍ଡ଼ାପାଲା ଗ୍ରାମର ଶଙ୍କର ବିଶ୍ଵାଳ, ଋଷଦ୍ଧ ବିଶ୍ଵାଳ , ଗୁପ୍ତେଶ୍ୱର ପ୍ରଧାନ , ଘଣ୍ଟପାଲି ଗ୍ରାମର ଉମାଶଙ୍କର ହୋତା , ଧନମାଳି ହୋତା , ଶୁରୁ ହୋତା , ମାଣିକପୁର ର ବଟକୃଷ୍ଣ ପ୍ରଧାନ , ନରେ ଡ଼ାଙ୍ଗ , ଲୁତୁରପଙ୍କ ପଞ୍ଚାୟତର ଲୁତୁରପଙ୍କ ଗ୍ରାମର ପ୍ରତାପ ଘଣ୍ଟା , କମ୍ଭୁ ପାଣି ଘଣ୍ଟା , ସୁଧିର ପ୍ରଧାନ , ଶଶାଙ୍କ ପ୍ରଧାନ , ଆଲୋକ ପ୍ରଧାନ , ସୁନୀଲ ପ୍ରଧାନ , ଦୁର୍ଜନତୈଲା ପଞ୍ଚାୟତ ର ଦାଦରପାଲି ଗ୍ରାମର ଲମ୍ବୋଦର ମହାକୁର,ପ୍ରୀତି ପ୍ରକାଶ ମହାକୁର, ମସିଣାପାଲି ଗ୍ରାମର କୁନା ରଥ,ଫକିର ପାଢ଼ୀ,ଗୋ ଘାଟ ଗ୍ରାମର ଯିବର୍ଦ୍ଧନ ପ୍ରଧାନ, କେନଝିରିଆପାଲି ଗ୍ରାମର ଋଷଭ ପ୍ରଧାନ ଙ୍କ ସମେତ ଶତାଧିକ ଚାଷୀ ଙ୍କ ଧାନ ଏବେ ନଷ୍ଟ ହେଉଛି। କେତେକ ଅମଳ ହେବାକୁ ଥିବା ଧାନ ପାଣିରେ ଭାସୁଛି ତ ଆଉ କେତେକ ଙ୍କ ଗଦା ଧାନ ବର୍ଷା ରେ ଭିଜୁଛି । ଏନେଇ ସଂପୃକ୍ତ ଚାଷୀମାନେ ତୁରନ୍ତ କ୍ଷୟ କ୍ଷତି ର ଆକଳନ କରି କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି କରୁଛନ୍ତି। ଏନେଇ ବୀରମହାରାଜପୁର ବ୍ଲକ କୃଷି ଅଧିକାରୀ ଯଶୋବନ୍ତ ପ୍ରଧାନ ଙ୍କୁ ପଚାରିବାକୁ ଯେଉଁ ଚାଷୀମାନେ ବିମା କରିଛନ୍ତି ସେମାନେ କ୍ଷତି ପୂରଣ ପାଇବେ ବୋଲି ପ୍ରକାଶ କରିଛନ୍ତି। ମାତ୍ର ସରକାରୀ ନିୟମ ଅନୁସାରେ ବ୍ଲକ ର କେବଳ ଦୁର୍ଜନତୈଲା ଓ କେନଝିରିଆପାଲି ପଞ୍ଚାୟତ ର ଚାଷୀମାନେ ବୀମା କରିବାକୁ ଯୋଗ୍ୟ ହୋଇଥିବା ବେଳେ ଅନ୍ୟ ଚାଷୀମାନେ ବୀମା ମଧ୍ୟ କରିବାକୁ ଅନୁମତି ପାଇ ନାହାଁନ୍ତି। ତେଣୁ ବ୍ଲକର ଅଧିକାଂଶ ଚାଷୀ ବୀମା କରି ନାହାନ୍ତି। ଫଳରେ ଏଭଳି ସ୍ଥିତିରେ ଚାଷୀର ଫସଲ ନଷ୍ଟ ହୋଇଥିଲେ ମଧ୍ୟ ବୀମା ବାବଦକୁ କ୍ଷତି ପୂରଣ ପାଇବେ ନାହିଁ। ଅଞ୍ଚଳରେ ରବି ଧାନ ଚାଷ ବର୍ଷା ରେ ନଷ୍ଟ ହୋଇଥିବା ନେଇ କେନଝିରିଆପାଲି ରାଜସ୍ବ ନୀରିକ୍ଷକ ରମାକାନ୍ତ ଜଗଦଲା ଙ୍କୁ ପଚାରିବାରୁ କୃଷି ବିଭାଗ ଓ ରାଜସ୍ବ ବିଭାଗ ର ଯୁଗ୍ମ କ୍ଷୟକ୍ଷତି ଆକଳନ କରାଯିବ ଏବଂ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ