ସମ୍ବଲପୁର, ମଇ ୩୧ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ସହ ସମ୍ବଲପୁରକୁ ସୁନ୍ଦର ତଥା ଆଧୁନିକ ଦିଶିବା ପାଇଁ ଅନେକ ସୌନ୍ଦର୍ଯ୍ୟକରଣ ଓ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆଜି ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁର ଚାରବାଟି ନିକଟରେ ହେରିଟେଜ୍ ଲାଇଟ୍ ସହ ଗୋଲବଜାର ଛକ ଓ ଶକ୍ତି ଛକର ସୌନ୍ଦର୍ଯ୍ୟକରଣ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ସେହିପରି ସମ୍ବଲପୁରରେ ଲକ୍ଷ୍ମୀ ଟକିଜ ଛକର ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀ ଟକିଜ୍ ଛକ ଫ୍ଲାଏଓଭରରେ ଡିଏମଏକ୍ସ ଆଲୋକୀକରଣର ସୁବିଧା, ବଡ଼ବଜାର ଠାରେ ଗୌରୀଶଙ୍କର ସାହାଣୀ ଉଦ୍ୟାନରେ ଜିମ୍ ଏବଂ ପାର୍କର ନବୀକରଣ କାର୍ଯ୍ୟ ଆଦିର ଶୁଭାରମ୍ଭ କରିଥିଲେ । ଜମନକିରା ସ୍ଥିତ ମୁକ୍ତେଶ୍ୱର ମନ୍ଦିରରେ ଏକ ନୂତନ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ଶୀତଳଷଷ୍ଠୀ’ ହେଉଛି ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ । ଆଜିର ଶୁଭ ଅବସରରେ ସମ୍ବଲପୁର ସହରକୁ ସୁନ୍ଦର ଓ ଆଧୁନିକ କରିବା ଦିଗରେ ଅନେକ ପଦକ୍ଷେପର ଶୁଭାରମ୍ଭ ହୋଇଛି । ଏହି ସବୁ ସୁବିଧା କଳା ଓ ସଂସ୍କୃତିର ସହର ସମ୍ବଲପୁରକୁ ଅଧିକ ସୁନ୍ଦର କରିବା ସହ ସାଧାରଣ ଜନତାଙ୍କ ଯାତାୟତ, ଗମନାଗମନ ଓ ଜୀବନଶୈଳୀକୁ ସୁଗମ କରିବ । ସେହିପରି ମୁକ୍ତେଶ୍ୱର ମନ୍ଦିରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୫୩ ଲକ୍ଷ ୫୫ ହଜାର ଟଙ୍କା ବିନିମୟରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଅଞ୍ଚଳର ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ବେଶ୍ ସହାୟକ ହେବ ବୋଲି କହିଥିଲେ । ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସମ୍ବଲପୁରର ଗାରିମାକୁ ବୃଦ୍ଧି କରିବାରେ ଆମ ସମସ୍ତଙ୍କ ସହଯୋଗ ରହିବା ଦରକବାର ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଥିଲେ ।
ଶ୍ରୀ ପ୍ରଧାନ କୁଚିଣ୍ଡା ସବଡିଭିଜନ ଜମନକିରା ବ୍ଲକ ସ୍ଥିତ ଶ୍ରୀ ଶଗଡ଼େଶ୍ୱର ମନ୍ଦିରରେ ଦର୍ଶନ କରିବା ସହ ଶୀତଳ ଷଷ୍ଠୀ ଯାତ୍ରା ଏବଂ ଶଗଡ଼େଶ୍ୱର ମହୋତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହାବ୍ୟତୀତ ସିନ୍ଦୁରପଙ୍କ ତାରକେଶ୍ୱରାୟ ମନ୍ଦିର ସମେତ ଶ୍ରୀ ପ୍ରଧାନ ମାନେଶ୍ୱର ମନ୍ଦିର, ସ୍ୱପ୍ନେଶ୍ୱର ବାବା ମନ୍ଦିର, ଗୁଡ଼େଶ୍ୱର ବାବା ଆଦି ଅନେକ ମନ୍ଦିରରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇଥିଲେ ।
ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
